ଛୋଟ ସହରବାସୀଙ୍କୁ ସରକାରଙ୍କ ବଡ ଭେଟି ।  ଖୁବଶୀଘ୍ର ଛୋଟ ସହରରେ ଗଡିବ ୩ ବଗି ବିଶିଷ୍ଟ ମେଟ୍ରୋ ଟ୍ରେନ୍ ।

311

କନକ ବ୍ୟୁରୋ : ଏବେ କେବଳ ବଡ ସହର ନୁହେଁ ଛୋଟ ସହରରେ ମଧ୍ୟ ଗଡିବ ମେଟ୍ରୋ ଟ୍ରେନ୍ । ଛୋଟ ସହରବାସୀଙ୍କୁ ବଡ ଭେଟି ଦେଇଛନ୍ତି ସରକାର । ଏଣିକି ଛୋଟ ସହର ପାଇଁ ମେଟ୍ରୋଲାଇଟ୍ ସିଷ୍ଟମ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ସରକାର । ମେଟ୍ରୋଲାଇଟ୍ ଟ୍ରେନରେ ମାତ୍ର ୩ଟି ବଗି ରଖିବାକୁ ପ୍ଲାନ କରାଯାଇଥିବା ବେଳେ ଘଣ୍ଟାପ୍ରତି ୨୫ କିଲୋମିଟର ହାରାହାରି ବେଗରେ ଏହା ଗତି କରିବ । ଏନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରାଳୟ ଅନୁଯାୟୀ, ମେଟ୍ରୋ ଟ୍ରେନ୍ ତୁଳନାରେ କମ ଖର୍ଚ୍ଚରେ ମେଟ୍ରୋଲାଇଟ୍ ଟ୍ରେନର ନିର୍ମାଣ କରାଯିବ । ସୂଚନା ଅନୁଯାୟୀ, ଏହି ୩ କୋଚ୍ ବିଶିଷ୍ଟ ମେଟ୍ରୋଲାଇଟ ଟ୍ରେନରେ ୩୦୦ ଯାତ୍ରୀ ଯାତ୍ରା କରିପାରିବେ । ମେଟ୍ରୋଲାଇଟ୍ ସିଷ୍ଟମକୁ ବିକଶିତ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ ।

ମେଟ୍ରୋଲାଇଟ୍ ସିଷ୍ଟମର ରାସ୍ତାକୁ ସଡକ ପଥରୁ ସମ୍ପୂର୍ଣ୍ଣ ଅଲଗା ଭାବେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏହାପୂର୍ବରୁ ବିଜେପି ନିର୍ବାଚନ ଇସ୍ତାହାରରେ ଦେଶରେ ମେଟ୍ରୋ ନେଟୱର୍କକୁ ୫୦ଟି ସହରକୁ ବଢାଇବାକୁ କହିଥିଲା । ମେଟ୍ରୋଲାଇଟ୍ ସିଷ୍ଟମ ପାଇଁ ମଧ୍ୟ ମେଟ୍ରୋ ଭଳି ପ୍ଲାଟଫର୍ମ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି । ଏହି ମେଟ୍ରୋଲାଇଟ୍ ସିଷ୍ଟମରେ ବଗି ଗୁଡିକ ପରସ୍ପର ସହ ଯୋଡି ହୋଇ ରହିବ । ଏହାକୁ ଅଲଗା କରାଯାଇପାରିବ ନାହିଁ । ଏହି ବଗି ଗୁଡିକ ଷ୍ଟିଲ ଓ ଆଲୁମିନିୟରେ ନିର୍ମିତ ହେବ । ସବୁଠୁ ବଡ କଥା ହେଲା, ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିଥିବା ବେଳେ ଏହାର ହାରାହାରି ବେଗ ଘଣ୍ଟାପ୍ରତି ୨୫ କିଲୋମିଟର ରହିବ ।