ଧାନ ଗଦାରେ ନିଆଁଲାଗି ପୋଡିଗଲେ ୩ ଭଉଣୀ । ଖେଳୁଥିବା ବେଳେ ନିଆଁଲାଗି ପୋଡିଗଲା ୨ ଯାଆଁଳା ଭଉଣୀ ଓ ପିଉସୀ ଝିଅଙ୍କ ଶରୀରର ୮୦ ପ୍ରତିଶତ

କୋକସରା ବ୍ଲକ ବିଜମରା ଗାଁରେ ଅଭାବନୀୟ ଘଟଣା

786

କନକ ବ୍ୟୁରୋ: ଧାନ ଖଳାରେ ନିଆଁ ଲାଗି ଜଳିଗଲେ ୩ ଭଉଣୀ । କୋକସରା ବ୍ଲକ ବିଜମରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ହୋଇ ୨ ଭଉଣୀଙ୍କ ସମେତ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ବେଳେ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରକରାଯାଇଛି । ପୋଡିଯାଇଥିବା ଶିଶୁ ହେଉଛନ୍ତି ୨ ଯାଆଁଳ ଭଉଣୀ ରୋଜି ଦିଶାରୀ, ଡେଜୀ ଦିଶାରୀ ଓ ପିଉସୀ ଝିଉ ରଚନା ରାଉତ ।

ମିଳିଥିବା ସୂଚନା ଅନୁସାରେ, ମହିମ ପଞ୍ଚାୟତର ବିଜମରା ନିବାସୀ ହେମରାଜ ଦିସାରିଙ୍କ ଯାଁଳା ଶିଶୁ କନ୍ୟା ରୋଜି ଓ ଡିଜି (୩.୫ ବର୍ଷ) ଓ ସେମାନଙ୍କ ପିଉସୀ ଝିଅ ରଚନା ରାଉତ (୪ ବର୍ଷ) ଆଜି ମଧ୍ୟାହ୍ନରେ ଧାନ ଖଳାରେ ଖେଳୁଥିଲେ। ଏହି ସମୟରେ ଧାନ ଖଳାରେ ନିଆଁ ଲାଗିଥିଲା। ପିଲାମାନେ ଧାନଗଦା ଭିତରେ ରହି ଯାଇଥିବାରୁ ସେମାନଙ୍କ ଶରୀର ଶତପ୍ରତିଶତ ପୋଡ଼ିଯାଇଥିଲା । ତିନି ଶିଶୁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତିନି ଭଉଣୀଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ସମୟରେ ହେମରାଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଘରେ ରୋଷେଇ କାମରେ ବ୍ୟସ୍ତ ଥିଲେ। ପିଲାମାନେ ଆଜି ଅଙ୍ଗନବାଡ଼ି ଯାଇ ନ ଥିଲେ ବୋଲି ଧାନ ଖଳାରେ ନିଆଁରେ ପୋଡ଼ି ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ସିଡିପିଓ ଜୟନ୍ତୀ ମହାନ୍ତି ପୀଡ଼ିତ ପରିବାରକୁ ଭେଟିଛନ୍ତି। ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଘର ନିକଟରେ ଥିବା ଖଳାରେ ଏଭଳି ଦୁଃଖଦ ଘଟଣା ଘଟିବ ବୋଲି କେହି ଭାବି ନ ଥିଲେ। ଶୀତଦିନ ହେଉଥିବାରୁ ଗ୍ରାମାଞ୍ଚଳର ଚାଷୀମାନେ ରାତିରେ ଧାନ ଖଳା ଜଗିଥାନ୍ତି। ରାତିରେ ହାତୀ ଉପଦ୍ରବ ହେଉ ଅଥବା ଚୋରି ପାଇଁ ଧାନ ଖଳାରେ ନିଆଁଖୁଣ୍ଟା ଜାଳିଥାନ୍ତି। ଶୁକ୍ରବାର ରାତିର ଜଳା ଯାଇଥିବା ନିଆଁ ଆଜିର ଦୁର୍ଘଟଣାର କାରଣ ବୋଲି କୁହାଯାଉଛି।

ମାମୁ ଘରକୁ ଆସିଥିଲା ରଚନା

କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ କୁଣ୍ଡିଗୁଡ଼ା ଗାଁର ଧନୁଜ ରାଉତଙ୍କ ଝିଅ ମାମୁ ଘରକୁ ଆସିଥିଲା। ସେ ଦୁଇ ଭଉଣୀଙ୍କ ସହ ଖେଳୁଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା।