କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦୁଲର୍ଭ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା ବିଶ୍ୱ । କରୋନା ଯୋଗୁଁ ସ୍ୱଚକ୍ଷୁରେ ଦେଖି ନପାରିଲେ ମଧ୍ୟ ଟିଭି ମାଧ୍ୟମରେ ହେଉ କି ଡିଜିଟାଲ ମିଡିଆରେ ଅଗଣିତ ଶ୍ରଦ୍ଧାଳୁ ଅପେକ୍ଷା କରିଥିଲେ ସେହି ମୁହୂର୍ତ୍ତକୁ । ତେବେ ଭକ୍ତର ମନକଥା ବୁଝି ନିର୍ଘଣ୍ଟ ସମୟ ପୂର୍ବରୁ ରତ୍ନ ସିିଂହାସନରୁ ଓହ୍ଲାଇ ଆସିଥିଲେ ଭାବର ଠାକୁର କାଳିଆ ସାଆନ୍ତ ।

Advertisment

ସକାଳ ସାଢ଼େ ୮ଟାରେ ପହଁଣ୍ଡି ହେବାକୁ ନୀତି ନିର୍ଘଣ୍ଟ ହୋଇଥିଲେ ବି ପ୍ରାୟ ଦେଢ଼ ଘଣ୍ଟା ଆଗରୁ ଆରମ୍ଭ ହୋଇଯାଇଥିଲା ପହଁଣ୍ଡି । ଆନନ୍ଦ ବଜାର ଦେଇ ଧାଡି ପହଣ୍ଡି ହୋଇଆସିଥିଲେ ଚତୁର୍ଦ୍ଧାମୁରତି । ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ବାଇଶପାହାଚରେ ସେବାୟତଙ୍କ ବାହୁରେ ଝୁଲ ଝୁଲି ବଡଦାଣ୍ଡକୁ ଆସିଥିଲେ । ଟାହିଆ ହଲୁଥାଏ, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଥାଏ ପୂରା ପରିବେଶ । ଏହାରି ଭିତରେ ୯ଟା ୪୦ ସୁଦ୍ଧା ପହଣ୍ଡି ସରିବା ପରେ ମଦନମୋହନ, ରାମକୃଷ୍ଣ ବୀଜେ ନୀତି କରାଯାଇ ଠାକୁରମାନଙ୍କ ବେଶ କରାଯାଇଥିଲା ।

ସଅଳ ସଅଳ ଠାକୁରଙ୍କ ବେଶ ଶେଷ ହେବା ପରେ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା । ଗତବର୍ଷ କରୋନା ଯୋଗୁଁ ଠାକୁର ରାଜା ଛେରାପହଁରା କରିନଥିଲେ । ତାଙ୍କ ପ୍ରତିନିଧି ମୁଦିରସ୍ତ ସେବାୟତ ରଥ ଉପରେ ଏହି ନୀତି ସଂପାଦନ କରିଥିଲେ । ଏ ବର୍ଷ ସ୍ନାନଯାତ୍ରାରେ ମଧ୍ୟ ମୁଦିରସ୍ତ ଛେରା ପହଁରା କରିଥିବା ବେଳେ ରଥରେ ଛେରାପହଁରା କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବତ ଗଜପତି ମହାରାଜ ଦିବ୍ୟସିଂଦ ଦେବ । ଆଉ ଏକ ପରମ୍ପରା ବିଧି ମୁତାବକ ରଥ ଉପରେ ବିଗ୍ରହଙ୍କ ଦର୍ଶନ କରିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଶଙ୍କରାଚାର୍ଯ୍ୟ ଦର୍ଶନ କରି ସାରିବା ପରେ ଚାରମାଳ ଫିଟା ଯାଇ ରଥଟଣା ଆରମ୍ଭ ହୋଇଥିଲା ।

ମଧ୍ୟାହ୍ନ ୧୨ଟା ୫ରେ ନୀତି ନିର୍ଘଣ୍ଟର ପ୍ରାୟ ୩ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣି ନେଇଥିଲେ ସେବାୟତ । ତାପରେ ବଡଦାଣ୍ଡରେ ଗଡିଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ବଡ ଭାଇ ଓ ଭଉଣୀଙ୍କୁ ପଠାଇବା ପରେ ନିଜେ ଗୁଣ୍ଡିଚା ମନ୍ଦିରକୁ ବାହାରିଥିଲେ କାଳିଆ ସାଆନ୍ତେ । ନନ୍ଦିଘୋଷ ରଥରେ ରଥାରୂଢ କଳା ଠାକୁରଙ୍କୁ ଟାଣି ନେଇଥିଲେ ସେବାୟତ ।

କରୋନା କଟକଣା ଯୋଗୁଁ ବଡଦାଣ୍ଡକୁ ସାଧାରଣ ଭକ୍ତ ଆସିବା ଉପରେ କଟକଣା ଲାଗିଥିଲେ ବି ପରମ୍ପରା ଅନୁସାରେ ଚାଲିଥିଲା ଓଡିଶୀ ନୃତ୍ୟ । ସେହିପରି ଦେବତାଙ୍କ ରୂପରେ ନିଜକୁ ସଜାଇ ନୃତ୍ୟ କରୁଥିଲେ ଭକ୍ତ । ଦୃଶ୍ୟ ଦେଖିଲେ, ଲାଗୁଥିଲା ସତେ ଯେମିତି ବଡଦାଣ୍ଡରେ ଚାଲିଛି ବିଶ୍ୱନିୟନ୍ତାଙ୍କ ଲିଳାଖେଳା । ବଡଦାଣ୍ଡକୁ ବଡଠାକୁର ଓହ୍ଲାଇ ଆସିଥିଲେ ବି କଟକଣା ଯୋଗୁଁ ଭକ୍ତ ଶୂନ୍ୟ ଥିଲା ବଡଦାଣ୍ଡ । କୋଭିଡ୍ କଟକଣାକୁ ମାନି କେହି ଶ୍ରଦ୍ଧାଳୁ ବଡଦାଣ୍ଡକୁ ଆସିନଥିଲେ । ଏପଟେ ଘରେ ରହି ମହପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଟିଭି ମାଧ୍ୟମରେ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।