ମହାବାହୁଙ୍କ ଅପେକ୍ଷାରେ ତିନି ରଥ । ରଥଖଳାରୁ ଶ୍ରୀମନ୍ଦିର ଆଗକୁ ଆସିଲେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ । ସେପଟେ ରଥଯାତ୍ରା ପାଇଁ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

116

କନକ ବ୍ୟୁରୋ: ରାତି ପାହିଲେ ଘୋଷଯାତ୍ରା । ମହାମାରୀ ଯୋଗୁଁ ଶ୍ରଦ୍ଧାଳୁ ସିନା ପୁରୀକୁ ଯାଇ ମହାପ୍ରଭୁଙ୍କ ରଥକୁ ଟାଣିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତିି କିନ୍ତୁ ଟିଭି ମାଧ୍ୟମରେ ହେଉ ପଛକେ ଘୋଷଯାତ୍ରା ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ । ଆଉ ଏହାରି ଭିତରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ।

ଆଜି ରଥରେ ଆଜ୍ଞାମାଳ ଲାଗି ହେବା ପରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ । ଘଣ୍ଟୁଆଙ୍କ ଘଣ୍ଟଘଣ୍ଟା ଓ ଡାହୁକଙ୍କ ହୋ ଭକତେ ଡାକରେ ଗଡ଼ିଥିଲା ତିନି ରଥ । ପ୍ରଥମେ ନନ୍ଦିଘୋଷ ପରେ ଦେବୀ ସୁଭଦ୍ରାଙ୍କ ଏବଂ ଶେଷରେ ବଡ଼ ଭାଇ ବଳଭଦ୍ରଙ୍କ ରଥ ରଥଖଳାରୁ ଚକଡ଼ା ନିକଟକୁ ଆଣି ଆଣିଥିଲେ ସେବାୟତ । କଟକଣା ଯୋଗୁଁ କେବଳ ସେବାୟତମାନେ ହିଁ ରଥଟାଣି ଥିଲେ ।

ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ବିଜେ ହୋଇଥିଲେ ଆଜ୍ଞାମାଳ । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଥିଲେ ସେବାୟତ । ତିନି ରଥରେ ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହୋଇଥିଲା । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କରି ରଥଖଳାରୁ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିଥିଲେ ସେବାୟତ ।

ଏସବୁ ଭିତରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ମନ୍ଦିର ପ୍ରଶାସନର ଏହି ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପୀଠାଧିକ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ରଥଯାତ୍ରା ଦିନ ଜଗଦଗୁରୁଙ୍କ ଶଙ୍କରଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ଜଣ ରଥ ପ୍ରଦିକ୍ଷଣ ସହ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି ।