ମିକ୍ସଚର ଫ୍ୟାକ୍ଟ୍ରି କରି ଆତ୍ମନିର୍ଭର ହେଲେ ତିନି ଭାଇ: ମେସିନ୍ ସାହାଯ୍ୟରେ ତିଆରି ହେଉଛି ମିକ୍ସଚର

468

କନକ ବ୍ୟୁରୋ: ମିକ୍ସଚରର ସ୍ୱାଦ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ପ୍ରାୟ ଓଡିଆ ଘରର ପଖାଳ କଂସା ଠାରୁ ଆରମ୍ଭ କରି ମୁଢି ମିକ୍ସର ଓ ଚା’ ଖଟି ସବୁଠି ମିକ୍ସରର ଆବଶ୍ୟକତା ପଡିଥାଏ । ଆଉ ଏହାକୁ ବ୍ୟବସାୟ ରୁପେ ଗ୍ରହଣ କରି ସଫଳତା ପାଇଛନ୍ତି ଆଠଗଡ ଗୁରୁଡ଼ିଝାଟିଆ ଅଂଚଳର ତିନି ଭାଇ ଶ୍ରୀକାନ୍ତ, ପବିତ୍ର ଓ ଆଲୋକ । ଆଂଚରେ ବସିଛି ତେଲ କଡ଼େଇ ।

ଆଉ ତେଲ କଡ଼େଇ ଭିତରୁ ଛଣା ହେଉଛି ସେଓ, ଗାଣ୍ଠିଆ ଓ ମିକ୍ସର । ବେସନ ମିକ୍ସ ମେସିନ୍, ତେଲ ଡ୍ରାଏ ମେସିନ୍, ସେଓ ଗାଣ୍ଠିଆ ମେସିନରେ ବାଦାମ ପକୋଡ଼ା, ବାଦାମ, ନିମିକ୍, ରାଗ ସେଓ, ମକା ଆଦି ୧୦ଟି ଭେରାଇଟିର ଜିନିଷ ପ୍ରସ୍ତୁତ କରାଯାଉଛି । ଏହା ପରେ ପ୍ୟାକେଟିଂ କରି ବଜାରକୁ ପଠାଯାଉଛି । ଖୁବ୍ କମ୍ ପଇସାରେ ୫ ବର୍ଷ ତଳେ ଆରମ୍ଭ କରିଥିବା ଏହି କାମ ବର୍ତମାନ ମାସିକ ୩୦ ହାଜାର ଟଙ୍କା ଲାଭ ଦେଉଥିବା କହିଛନ୍ତି ୩ ଭାଇ ଶ୍ରୀକାନ୍ତ, ପବିତ୍ର ଓ ଆଲୋକ ।

ନିକଟସ୍ଥ ରାଧାକିଶୋରପୁର ଗାଁରେ ୩ବଖରା ଘର ଭଡ଼ା ନେଇ ମିକ୍ସର ତିଆରି କରୁଛନ୍ତି ୩ ଭାଇ । ଏଥିପାଇଁ ଆବଶ୍ୟକ ହେଉଥିବା କଂଚା ମାଲ କଟକରୁ ଆଣି ଏହାକୁ ପ୍ରସ୍ତୁତ କରାଯାଉଛି । ମିକ୍ସରର ଭଲ ସ୍ୱାଦ ଥିବାରୁ ବଜାରରେ ମଧ୍ୟ ଏହାର ଚାହିଦା ଅଧିକ ରହିଛି । ଏହି ମିକ୍ସର ଆଠଗଡ଼, ଖୁଂଟୁଣି, ଗୁରୁଡ଼ିଝାଟିଆ, ଚୌଦ୍ୱାର ଏବଂ ଢେଙ୍କାନାଳ ଜିଲ୍ଲାରେ ବିକ୍ରି କରାଯାଏ । ରୋଜଗାର କରିବା ପାଇଁ ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହୋଇପାରିଥିବାରୁ ସେମାନେ ବେଶ ଖୁସି ଅଛନ୍ତି ।