ସମ୍ବଲପୁର ରେଙ୍ଗାଲିରେ ନାବାଳିକାକୁ ଅପହରଣ କରିବା ଅଭିଯୋଗ, ତିନି ଗିରଫ

୧୪ ତାରିଖରେ ନାବାଳିକା ହୋଇଥିଲେ ଅପହରଣ; ଫୋନ କରି ନାବାଳିକାଙ୍କ ଭାଇକୁ ମାଗିଥିଲେ ୪ ଲକ୍ଷ ଟଙ୍କା

95

କନକ ବ୍ୟୁରୋ : ନାବାଳିକାକୁ ଅପହରଣ କରି ଟଙ୍କା ମାଗିବା ଅଭିଯୋଗରେ ୩ ଗିରଫ । ସମ୍ବଲପୁର ରେଙ୍ଗାଲି ଥାନାରୁ ତିନି ଅପହରଣକାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଭରତ ନାଏକ, ସାରଙ୍ଗ ନାଏକ, ରାଜେନ୍ଦ୍ର ଧୁରୁଆ । ଏମାନଙ୍କୁ ଧରିବା ପାଇଁ ପୁଲିସ ୨ଟି ଟିମ୍ ତିଆରି କରିଥିଲା । ପୋଲିସ ଏହି ତିନି ଜଣଙ୍କ ମୋବାଇଲକୁ ଟ୍ରାକ କରି କୁଚିଣ୍ଡାସ୍ଥିତ ପୂର୍ଣ୍ଣାପାନି ଜଙ୍ଗଲରୁ ଗିରଫ କରିଛି । ଅଭିଯୁକ୍ତମାନେ ଗତ ୪ ତାରିଖ ସଂଧ୍ୟାରେ ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଲୁଚାଇଥିବା ସୂଚନା ରହିଛି । ଅପହରଣର ପର ଦିନ ଏମାନେ ନାବାଳିକାର ଭାଇକୁ ଫୋନ କରି ୪ ଲକ୍ଷ ଟଙ୍କା ମାଗିଥିଲେ ।

ଅପହରଣ କରି ଟଙ୍କା ମାଗିବା ଘଟଣାରେ ପୁଲିସ ମିଳିଥିବା ସୂଚନା ଅନୁଯାୟୀ, ଅମନ ଓ ତା ବାପା ସାରଙ୍ଗ ମିଶି ନାବାଳିକାଙ୍କୁ ଅପହରଣ କରିନେବା ଯୋଜନା କରିଥିଲେ । ଗିରଫ ହୋଇଥିବା ୨ ବାପପୁଅକୁ ରାଜେନ୍ଦ୍ର ସହଯୋଗ କରିଥିଲା । ଯୋଜନା ମୁତାବକ ନାବାଳିକାଙ୍କୁ ପ୍ରେମ କରୁଥିବା ଅମନ ପ୍ରଲୋଭନ ଦେଖାଇ ଦୀପାବଳି ଦିନ ଘରୁ ନେଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ତାଙ୍କ ବାପା ଥାନାରେ ଲିକିତ ଅଭିଯୋଗ କଲେ । ପୁଲିସ ମଧ୍ୟ ନାବାଳିକାଙ୍କୁ କିଏ କେଉଁଠାରେ ଅପହରଣ କରି ରଖିଚି, ତାର ଟେର୍‌ ପାଇ ନଥିଲା । ତେବେ ଗତ ସୋମବାର ସନ୍ଧ୍ୟାରେ ନାବାଳିକାଙ୍କ ଭାଇକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା ଏବଂ ୪ ଲକ୍ଷ ଟଙ୍କା ଦେଲେ ତୋ ଭଉଣୀକୁ ଛାଡ଼ିବୁ ବୋଲି ଦୁର୍ବୃତ୍ତ ଜଣକ କହିଥିଲା । ତମ ପରିବାର ଲୋକେ ଥାନାରେ ବସି ରହୁଛ, ଏକଥା ଆମେ ଜାଣିଛୁ ବୋଲି କହିବା ସହ ଟଙ୍କା ମାଗିବା ନେଇ ଯଦି କାହାକୁ ଜଣାଇଲୁ ତୁ ତୋ ଭଉଣୀକୁ ଭୁଲିଯିବୁ ବୋଲି ଦୁର୍ବୃତ୍ତ ଜଣକ କହିଥିଲା ।
୬ଟା ସୁଦ୍ଧା ଟଙ୍କା ନପଠାଇଲେ ନାବାଳିକାଙ୍କୁ ମାରିଦେବୁ ବୋଲି ମଧ୍ୟ ଧମକ ଦେଇଥିଲା । ଏଭଳି ଧମକ ପରେ ପରିବାର ଲୋକେ ଭୟରେ ପୁଲିସକୁ ଜଣାଇବୁ କି ନାହିଁ ବୋଲି ଚିନ୍ତାରେ ଥିବା ବେଳେ ନାବାଳିକାଙ୍କ ଭାଇ ସାହସ ଦେଖାଇ ଥାନାଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ଥାନାରେ କଥା ନହୋଇ ବାହାରେ କଥା ହେବାକୁ କହିଥିଲେ । ତାପରେ ପୁଲିସ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇ ମୋବାଇଲ୍‌ ନମ୍ବର ଟ୍ରାକିଂ କରିବା ସହ ଅନ୍ୟ ଯାନ୍ତ୍ରିକ କୌଶଳ ସହାୟତାରେ ଅଜଣା ନମ୍ବରରୁ କଲ୍‌ କରିଥିବା ଦୁର୍ବୃତ୍ତ ରାଜେନ୍ଦ୍ରକୁ ଗୋଡ଼ଭଗାର ଏକ ଏଟିଏମ୍‌ ଭିତରୁ ଧରିଥିଲା । ତାକୁ ପଚରା ଉଚରା ପରେ ସେ ନାବାଳିକାଙ୍କୁ ଅପହରଣ କରି ରଖାଯାଇଥିବା ସ୍ଥାନକୁ ନେଇଥିଲା । କୁଚିଣ୍ଡା ଥାନା ଅଧୀନ ଅଞ୍ଚଳରୁ ୨ ବାପପୁଅକୁ ପୁଲିସ ଗିରଫ କରିବା ସହ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଥିଲା ।