ମାଓବାଦୀ ନାଁରେ ନିଜ କମ୍ପାନୀର ଏଚ୍ଆର ମୁଖ୍ୟଙ୍କୁ ଧମକଦେବା ପଡ଼ିଲା ମହଙ୍ଗା, ଯୁବକ ଗିରଫ

ଚିଠି ସହ ଧମକପୂର୍ଣ୍ଣ କଲ କରି କରୁଥିଲେ ବ୍ଲାକମେଲିଂ

120

କନକ ବୁରୋ : ମାଓବାଦୀ ନାଁରେ ନିଜ କମ୍ପାନୀର ସାଇଡ୍ ଇନଚାର୍ଜ ଓ ଏଚ୍ଆର ମୁଖ୍ୟଙ୍କୁ ଧମକପୂର୍ଣ୍ଣ କଲ କରିବା ଓ ରେଜେଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଧମକପୂର୍ଣ୍ଣ ଚିଠି ଦେଇ ପୁଲିସହାତରେ ଧରାପଡ଼ଛନ୍ତି ଘରୋଇ କମ୍ପାନୀର କର୍ମଚାରୀ । ଗିରଫ ଯୁବକ ହେଲେ ଯୁଧିଷ୍ଠିର ପ୍ରଧାନ । ସେ ବେଦାନ୍ତ କାରଖାନାରେ ଠିକା କାମ କରୁଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ରେ ଫିଟର ଭାବରେ କାର୍ଯ୍ୟ କରୁଥିଲେ ।

ଖବର ଅନୁସାରେ, ଜୁଲାଇ ୨୯ ତାରିଖରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ସାଇଡ୍ ଇନଚାର୍ଜ ଅବତୁର ଖାନଙ୍କ ପାଖକୁ ରେଜେଷ୍ଟ୍ରି ପୋଷ୍ଟରେ ଏକ ଚିଠି ଆସିଥିଲା । ଏହି ଚିଠିଟି ପଶ୍ଚିମ ଓଡ଼ିଶା ମାଓବାଦୀ ସଂଗଠନ ନାଁରେ ଆସିଥିଲେ । ଏଥିରେ କମ୍ପାନୀରେ କାମକରୁଥିବା ପଶ୍ଚିମ ଓଡ଼ିଶାର ଯୁବକମାନଙ୍କୁ ବିଭିନ୍ନସୁବିଧା ସୁଯୋଗ ଯୋଗାଇ ଦେବାସହ ମାଓ ସଂଗଠନକୁ ଟଙ୍କା ଦେବାକୁ କୁହାଯାଇଥିଲା । ପରେମୋବାଇଲରେ ବାରମ୍ବାର ତାଙ୍କ ପାଖକୁ ଧମକ୍ ଆସୁଥିଲା । ମାଓବାଦୀ ସଂଗଠନକୁ ଟଙ୍କା ନ ଦେଲେ ତାଙ୍କୁ ଜୀବନରେମାରି ଦେବାକୁ ଧମକ ଆସିବାରୁ ଅବତୁର ତାଙ୍କ ପରିବାର ସହ ଗାଁ ସାଲେପୁରକୁ ପଳାଇଥିଲେ ।

ଏହାପରେ ସେହି କମ୍ପାନିର ଏଚ୍ଆର ମୁଖ୍ୟ ରଂଜିତ ମହାପାତ୍ରଙ୍କୁ ସମାନ ମାଓବାଦୀର ପରିଚୟ ଦେଇ ଚିଠି ପଠାଇବା ସହ ଫୋନରେ ଧମକ ଓ ଅର୍ଥ ଦାବି କରାଯାଇଥିଲା । ଏହାକୁ ନ ମାନିଲେ ତାଙ୍କୁ ହତ୍ୟାକରି କଟାମୁଣ୍ଡ ଜଙ୍ଗଲରେ ଫିଙ୍ଗିଦେବେ ବୋଲି ଧମକ ମିଳିଥିଲା । ଏନେଇ ଅବତୁର ଓ ରଂଜିତ ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରି ଯୁଧିଷ୍ଠିରଙ୍କୁ ଗିରଫ କରିଛି । ଯୁଧିଷ୍ଠିର ନିକଟରୁ ୨ଟି ମୋବାଇଲଫୋନ୍, ଆଧାରକାର୍ଡ, ଡିଏଲ୍, ବେଦାନ୍ତ ଗେଟପାସ୍, ହେମନ୍ତ ଚୌଧୁରୀ ନାମରେ ଥିବାଗୋଟିଏ ଆଧାରକାର୍ଡ଼ ଜବତ ହୋଇଛି ।