କନକ ବ୍ୟୁରୋ: ଧର୍ମେନ୍ଦ୍ର କହିଲେ ଗୋ ବ୍ୟାକ । ଆନ୍ଧ୍ର କହିଲା ଫେରାଇ ନିଅନ୍ତୁ ଏକଥା । ଗତକାଲି ଉକ୍ରଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ ଆନ୍ଧ୍ର ଅଫିସରଙ୍କୁ ଓଡିଶା ଛାଡି ଚାଲିଯିବାକୁ କହିବା ସହ ଗୋ ବ୍ୟାକର ନାରା ଦେଇଥିଲେ । ଏହି କଥାରେ ବିଚଳିତ ହୋଇ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ ଦୋରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରାଜ୍ୟର ନୁହଁନ୍ତି ସାରା ଦେଶର । ବିଜେପି କହିଛି, ଧର୍ମେନ୍ଦ୍ର ଆଗ ଓଡିଆ ପରେ ମନ୍ତ୍ରୀ ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିବାବେଳେ, ସେଠାରେ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେବା ପରେ, ଚିହିଁକି ଉଠିଛି ଆନ୍ଧ୍ର ସରକାର । ସାଲୁରରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନ ଦୋରା ସାମ୍ବାଦିକ ସମ୍ମିଳନୀ କରି, ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି । ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରଧୀନ ରହିବା ସହ ସ୍ଥିତାବସ୍ଥା ବଳବତ୍ତର ରହିଛି । ଜଣେ କେନ୍ଦ୍ରମନ୍ତ୍ରୀ ସମଗ୍ର ଭାରତ ପାଇଁ ମନ୍ତ୍ରୀ । ତେଣୁ କେନ୍ଦ୍ରମନ୍ତ୍ରୀ ଦେଇଥିବା ତାଙ୍କ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ।

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ, ପ୍ରଥମେ ଜଣେ ଓଡି଼ଆ ତାପରେ କେନ୍ଦ୍ରମନ୍ତ୍ରୀ । ଓଡିଶା ଦିବସ ଅବସରରେ ଶୁକ୍ରବାର କୋଟିଆ ଗସ୍ତବେଳେ, ଆନ୍ଧ୍ର ଅଧିକାରୀଙ୍କୁ କୋଟିଆ କେବଳ ଓଡିଶାର, ଆନ୍ଧ୍ରର ନୁହେଁ ବୋଲି ଚେତାବନୀ ଦେଇଥିଲେ ଧର୍ମେନ୍ଦ୍ର । ଏଥିସହ ଆନ୍ଧ୍ର ଗୋବ୍ୟାକ୍ ନାରା ଦେଇ ଆନ୍ଧ୍ର ପୁଲିସ ଅଧିକାରୀଙ୍କୁ ତଡି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ତେବେ ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ନେଇ ବିଜେଡି ଓ କଂଗ୍ରେସ ରାଜନୀତିର ଗନ୍ଧ ବାରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଧର୍ମେନ୍ଦ୍ର ବାବୁ ଯାଆନ୍ତୁ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୁହନ୍ତୁ । ସେ ଦୁଇ ରାଜ୍ୟକୁ ଡାକନ୍ତୁ । ଆନ୍ଧ୍ର- ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବସାଇ ସୀମା ବିବାଦର ସମାଧାନ କରନ୍ତୁ । ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ସମାନ କଥା ଅଭିଯୋଗ କରିଛନ୍ତି । ବିଜେପି କହିଛି, ଆନ୍ଧ୍ର ଗୋବ୍ୟାକ୍ ବିଜେପିର ସ୍ପଷ୍ଟ ଆଭିମୁଖ୍ୟ । ବିଜେଡି ଓ କଂଗ୍ରେସ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।

କୋଟିଆକୁ ନେଇ ଦୀର୍ଘ ଦିନ ହେବ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଦୁଇ ରାଜ୍ୟର ଅଧିକାରୀ ବାରମ୍ବାର ମୁହାଁମୁହିଁ ହୋଇଛନ୍ତି । ଦୁଇ ରାଜ୍ୟର ନେତା ବି ମୁହାଁମୁହିଁ ହୋଇଛନ୍ତି । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । କିନ୍ତୁ ସମାଧାନର ବାଟ ବାହାରିପାରୁନି । ଆଉ ଅନ୍ୟପଟେ ବିଭିନ୍ନ କାର୍ଯ୍ୟକ୍ରମ କରି କୋଟିଆରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ ଜାରି ରଖିଛି ଆନ୍ଧ୍ର ସରକାର ।