ବିମାନର ଦିଗ ବଦଳାଇଦେଲା ଧମକପୂର୍ଣ୍ଣ ଚିଠି ! ଦିଲ୍ଲୀ ନୁହେଁ ପିଓକେରେ ଲ୍ୟାଣ୍ଡ କରିବାକୁ ନିର୍ଦ୍ଦେଶ , ଜାଣନ୍ତୁ ମଝି ଆକାଶରେ ଘଟିଲା କ’ଣ ?

54

ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣରୁ ବର୍ତ୍ତିଯାଇଛି ଭାରତୀୟ ବିମାନ । ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନଟି ଅପହରଣ ହେବା ପୂର୍ବରୁ ଅହମ୍ମଦାବାଦରେ ଅବତରଣ କରିଛି । ଏହି ଘଟଣା ଏକ ଚିଠି ମାଧ୍ୟମରୁ ଜଣାପଡିଛି । ବିମାନର ବାଥରୁମରୁ ଅପହରଣ ପାଇଁ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ବିମାନରେ ଯେଉଁ ବ୍ୟକ୍ତି ଏହି ଚିଠି ରଖିଥିଲେ ତାଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି ।

boeing-777-300-erଗତକାଲି ରାତି ପ୍ରାୟ ୨ଟା ୫୫ ମିନିଟରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଜେଟ ଏୟାରୱେଜର ୯ଡବ୍ଲୁ୩୩ ବିମାନ ଉଡାଣ ଭରିଥିଲା । କିନ୍ତୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ବିମାନ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଏହି ଭୟର କାରଣ ଥିଲା ଉର୍ଦ୍ଦୁ ଭାଷାରେ ଲେଖାଥିବା ଏକ ଚିଠି । ବିମାନର ବାଥରୁମରୁ ମିଳିଥିବା ଚିଠିରେ ବିମାନକୁ ଅପହରଣ କରିବା ପାଇଁ ଧମକ ଦିଆଯାଇଥିଲା । ବିମାନକୁ ଅପହରଣକାରୀ ହାଇଜାକ କରିସାରିଛନ୍ତି । ତେଣୁ ଦିଲ୍ଲୀ ପରିବର୍ତ୍ତେ ସିଧାସଳଖ ଏହାକୁ ପିଓକେ ନେବା ପାଇଁ ଚିଠିରେ ଉଲ୍ଲେଖ ଥିଲା ।

ଏହାଛଡା ବିମାନଟି ତାଙ୍କର ୧୨ ଜଣ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଛି । ତେଣୁ କୌଣସି ଚାଲାଖି ନ କରି ବିମାନକୁ ସିଧାସଳଖ ପିଓକେରେ ଅବତରଣ କରିବାକୁ କୁହାଯାଇଥିଲା । ଯଦି ବିମାନକୁ ଅବତରଣ କରିବାକୁ ପାଇଲଟ ଚେଷ୍ଟା କରନ୍ତି ତେବେ ଯାତ୍ରୀଙ୍କ ମରିବାର ଶବ୍ଦ ଶୁଣିବାକୁ ମିଳିବ । ତେବେ ଏହି କଥାକୁ ମଜାରେ ନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା । ବିମାନର କାରଗୋ କିକପଟରେ ବମ ରଖାଯାଇଛି । ତେଣୁ ଯଦି ବିମାନଟି ଦିଲ୍ଲୀରେ ଅବତରଣ କରେ ତେବେ ବଡ ଧରଣର ବିସ୍ଫୋରଣ ହେବ ବୋଲି ଚିଠିରେ ଉଲ୍ଲେଖ ଥିଲା ।

ଏଭଳି ଚିଠି ବିମାନରୁ ମିଳିବା ପରେ ତୁରନ୍ତ ବିମାନକୁ ୩ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ବିମାନବନ୍ଦର ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ବିମାନକୁ ଅପହରଣ କରିବା ପାଇଁ ଧମକପୂର୍ଣ୍ଣ ଫୋନକଲ ଆସିବା ପରେ ବିମାନର ରୁଟରେ ପରିବର୍ତ୍ତନ କରି ଏହାକୁ ଅହମ୍ମଦାବାଦରେ ଅବତରଣ କରାଯାଇଛି । ବିମାନର ଯାଉଥିବା ଏକ ଯାତ୍ରୀଙ୍କ କହିବା ଅନୁଯାୟୀ, ସୁରକ୍ଷା ସମ୍ବନ୍ଧୀୟ କାରଣ ପାଇଁ ବିମାନକୁ ଅହମ୍ମଦାବାଦରେ ଅବତରଣ କରି ସମସ୍ତ ଯାତ୍ରୀଙ୍କର ପୁର୍ନବାର ଯାଞ୍ଚ କରାଯାଇଥିଲା । ତେବେ ବିମାନରେ କେତେ ଯାତ୍ରୀ ଥିଲେ ତାହା ଏବେ ସ୍ପଷ୍ଟ ହୋଇନାହିଁ ।