କନକ ବ୍ୟୁରୋ: ସର୍ବାଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳ କୋରାପୁଟ ବସଷ୍ଟାଣ୍ଡ ପ୍ରତି ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ଦୁଇ ମହଲା ବିଶିଷ୍ଟ ଏହି ବସ ଷ୍ଟାଣ୍ଡର ଉପର ମହଲା ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ଉପର ମହଲାକୁ ବିଭିନ୍ନ ସମୟରେ ସିମେଣ୍ଟ ଅଂଶ ଖସୁଥିବା ଲକ୍ଷ କରାଯାଉଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉପର ମହଲାର ଝରକା ସବୁ ଝଡି ପଡ଼ିଲାଣି । କାନ୍ଥ ଫାଟି କେଉଁଠୁ ଇଟା ଦିଶିଲାନି ତ କେଉଁଠି ଗଛ ଉଠିଲାଣି । ନାନା ଅବ୍ୟବସ୍ଥା ଥିବା ବସଷ୍ଟାଣ୍ଡ ପ୍ରତି ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି ।

Advertisment

ଦୈନିକ କୋରାପୁଟ ଦେଇ ଶହ ଶହ ଛୋଟ ବଡ ଯାନବାହାନ ବିଭିନ୍ନ ସ୍ଥାନକୁ ଚଳପ୍ରଚଳ କରୁଛି । ଏହି ବସଷ୍ଟାଣ୍ଡ ଦେଇ ବ୍ରହ୍ମପୁର ଭୁବନେଶ୍ୱର ଓ ଆନ୍ଧ୍ର ବିଶାଖାପାଟଣା, ହାଇଦ୍ରାବାଦ, ଛତିଶଗଡ଼, ରାୟପୁର ଆଦି ସ୍ଥାନକୁ ଦୂରଗାମୀ ବସ ଚଳପ୍ରଚଳ କରୁଛି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସାମାନ୍ୟ ସୁବିଧା ନଥିବା ବେଳେ ପାନୀୟ ଜଳର ସୁ ବନ୍ଦବ୍ୟସ୍ତ ନ ଥିବାରୁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ଭୁଖୀନ ହେଉଛନ୍ତି । କୋରାପୁଟ ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡର ଏଭଳି ବିକଳ ଚିତ୍ର ଅନେକଙ୍କୁ ବିସ୍ମିତ କରିଛି । ପ୍ରତିଦିନ କୋରାପୁଟକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ବସଷ୍ଟାଣ୍ଡର ଏଭଳି ଅବ୍ୟବସ୍ଥାକୁ ଦେଖି ମୁହଁ ମୋଡୁଛନ୍ତି । ଦିନକୁ ଦିନ ସହର ବଢୁଥିବା ବେଳେ ସଙ୍କୁଚିତ ଏହି ବସଷ୍ଟାଣ୍ଡକୁ ଅତ୍ୟଧିକ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେଉଛି । ତଥାପି ସୁଫଳ ମିଳୁନି ।