ଘରେ ନ ପଶୁଣୁ ମୁଣ୍ଡରେ ବାଜିଲା ଚାଳ : ତାଲିବାନଙ୍କ ସରକାର ଗଠନ ପୂର୍ବରୁ ଆଫଗାନିସ୍ତାନରେ ଦେଖାଦେଲାଣି ଖାଦ୍ୟ, ଇନ୍ଧନ ସହ ନଗଦ ଟଙ୍କାର ଅଭାବ

ତାଲିବାନ ଆଗରେ ବଡ ଚାଲେଞ୍ଜ, କେମିତି ତୁଟିବ ଖାଦ୍ୟ ସମସ୍ୟା; କେମିତି ଲୋକଙ୍କ ହାତକୁ ଯିବ ଟଙ୍କା

383

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଦିନେ ଦୁଇ ଦିନ ଭିତରେ ସରକାର ଗଠନ କରିବାର ସମ୍ଭାବନା ଥିବା ନେଇ ସୂଚନା ମିଳୁଛି । ହେଲେ ସରକାର ଗଢ଼ିବା ପରେ ତାଲିବାନ ପାଇଁ ଶାସନ କରିବା ଏତେ ସହଜ ହେବ ନାହିଁ । ବିଶେଷକରି ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ଏବେଠାରୁ ଘାରିଲାଣି । ସେପଟେ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ଆରମ୍ଭ କଲାଣି । ଖାଦ୍ୟ ଓ ଇନ୍ଧନ ଏଦୁଇଟିର ମୂଲ୍ୟ ବୃଦ୍ଧି ସହ ଦେଶରେ ଏସବୁ ଉପଲବ୍ଧ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ଲମ୍ବା ଲମ୍ବା ଧାଡ଼ିରେ ଲୋକେ ଦୋକାନ ଆଗରେ ଘଂଟା ଘଂଟା ଧରି ଅପେକ୍ଷା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦେଶ ଚଳାଇବାକୁ ଆବଶ୍ୟକ ଅର୍ଥ ତାଲିବାନ କେମିତି ଯୋଗାଡ଼ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି । ଆଫଗାନିସ୍ତାନ ବ୍ୟାଙ୍କ ଓ ଅନ୍ୟ କେତେକ ଆର୍ଥିକ ସଂସ୍ଥାରେ ଅର୍ଥ ଉପରେ ଆମେରିକା ସରକାର କେତେକ କଟକଣା ଲଗାଇ ସାରିଛନ୍ତି । ଏହାସହ ଆଇଏମଏଫ ପରି ସଂସ୍ଥା ଆଫଗାନିସ୍ତାନକୁ ସହାୟତା କରିବା ପ୍ରସଙ୍ଗରେ ଏଯାଏଁ କିଛି କହୁନାହାନ୍ତି । ଆଫଗାନିସ୍ତାନରେ ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ, ତେଣୁ ଆଗକୁ ଏହି ଅବସ୍ଥା ସୁଧୁରିବ ନା ଆହୁରି ଖରାପ ହେବ, ତାରି ଉପରେ ନଜର ରହିବ ।