କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଓମିକ୍ରନ ପାଇଁ ସାରା ଦେଶରେ ପୁଣିଥରେ ଆତଙ୍କ ଖେଳିଯାଇଛି । ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଅନେକ କଟକଣା ଲଗାଉଛନ୍ତି । ସାର୍ବଜନୀନ ସ୍ଥାନରେ ଗହଳି ନକରିବା, ନାଇଟ୍ କର୍ଫ୍ୟୁ ଲଗାଇବା ଭଳି ଅନେକ ନିୟମ ଲାଗୁ ହୋଇଛି । ହେଲେ ଉତ୍ତରପ୍ରଦେଶ ନିର୍ବାଚନ ର୍ୟାଲିରେ ଏସବୁ କଟକଣାକୁ ଫୁ କରିଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ହଜାର ହଜାର ସଂଖ୍ୟକ ଲୋକ ଉତ୍ତରପ୍ରଦେଶର ବିଭିନ୍ନ ରାଲିରେ ଏଭଳି ରୁଣ୍ଡ ହୋଇଛନ୍ତି, ଯେପରି ସେମାନଙ୍କୁ କରୋନା ପାଇଁ କୌଣସି ଭୟ ନାହିଁ । ଶୁକ୍ରବାର ଯେତେବେଳେ ଉତ୍ତରପ୍ରଦେଶ ବରେଲିରେ ନିର୍ବାଚନ ପ୍ରଚାର ପାଇଁ ପହଁଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେତେବେଳେ ଲକ୍ଷାଧିକ ଲୋକ ତାଙ୍କ ପ୍ରଚାର ରାଲିରେ ସାମିଲ ହୋଇଥିଲେ । ଯେତେବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଅନେକ କଟକଣା ଲଗାଯାଉଛି, ଲୋକଙ୍କୁ କରୋନା ଗାଇଡ୍ ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି, ସେଠି ନେତାଙ୍କ ର୍ୟାଲିରେ କଟକଣାକୁ ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତା ପଚାରେ କିଏ । କରୋନା ଏବେ ଦେଶରେ ଉପରମୁହାଁ ଥିବାବେଳେ ନିଜେ ନେତା ହିଁ କଟକଣାକୁ ବେଖାତିର କରୁଛନ୍ତି । ଯାହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲି ସ୍ପଷ୍ଟ କରୁଛି । ଖାଲି ଅମିତ୍ ଶାହଙ୍କ ରାଲି କାହିଁକି ଶନିବାର ନୂଆବର୍ଷ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ତେବେ କେବଳ ବିଜେପି ନୁହେଁ ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ଉତ୍ତରପ୍ରଦେଶରେ ବଡ ବଡ ନିର୍ବାଚନ ପ୍ରଚାର ରାଲି କରୁଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବିଜୟ ଯାତ୍ରା ଜରିଆରେ ନିର୍ବାଚନ ରାଲି କରୁଛନ୍ତି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ରାଲି କରୁଛନ୍ତି । ଯେଉଁଥିରେ କୋଭିଡ୍ ନିୟମ ଖୁଲମ୍ ଖୁଲା ଭଙ୍ଗ ହେଉଥିବା ଦେଖିବାକୁ ମିଳୁଛି । ଆଗକୁ ଉତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାଭିତରେ ଦେଶକୁ ଓମିକ୍ରନ ଆତଙ୍କ ଘାରିଲାଣି । ଯାହାକୁ ନେଇ ଲୋକଙ୍କ ପାଇଁ କଟକଣା ଲଗାଯାଉଛି ସତ । ହେଲେ ନେତା ମାନେ ହିଁ ନିୟମକୁ ବେଖାତିର କରୁଥିବା ଏହି ନିର୍ବାଚନ ରାଲି ସ୍ପଷ୍ଟ କରୁଛି ।