ଟ୍ରମ୍ପଙ୍କ ପାଇଁ ରାଲି: ଆମେରିକାର ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଟ୍ରମ୍ପ ସମର୍ଥକଙ୍କ ଆନ୍ଦୋଳନ: ଭୋଟ୍ ଗଣତିରେ ତ୍ରୁଟି ହୋଇଥିବା ଆଣିଲେ ଅଭିଯୋଗ

ପୁଣି ଥରେ ସୁଯୋଗ ଦେବାକୁ କଲେ ଦାବି

205

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପକୁ ସମର୍ଥନ କରି ରାଜଧାନୀ ୱାସିଟଂନ ଡ଼ିସିରେ ହଜାର ହଜାର ସମର୍ଥକ ଏକାଠି ହୋଇଛନ୍ତି । ହାତରେ ଫ୍ଲାକାଡ଼ ଧରି ହ୍ୱାଇଟ ହାଉସ, ୱାସିଟଂନ ଡ଼ିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଟ୍ରମ୍ପକୁ ଆଉ ୪ ବର୍ଷ ସୁଯୋଗ ଦେବାକୁ ନାରା ଦେଇଛନ୍ତି ତାଙ୍କ ସମର୍ଥକ । ଏପରିକି ନିର୍ବାଚନୀ ଗଣତିରେ ତ୍ରୃଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପଙ୍କ ଲକ୍ଷ ଲକ୍ଷ ସମର୍ଥନମାନେ ଅସନ୍ତୋଷ ପ୍ରକାଶ କରି ଶୋଭାଯାତ୍ରା କରିଛନ୍ତି ।

ସେପଟେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇସାରିଛି । ଆଉ ଜନାଦେଶ ପରବର୍ତି ରାଷ୍ଟ୍ରପତି ଭାବେ ଜୋ-ବାଇଡେନଙ୍କୁ ମୁକୁଟ ପିନ୍ଧାଇସାରିଛି । ଏପଟେ ନିର୍ବାଚନ ଫଳାଫଳକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବା ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ନରମ ପଡିଛନ୍ତି । କହିଛନ୍ତି ସମୟ କହିବ ସେ ରାଷ୍ଟ୍ରପତି ରହିବେ ନା ନାହିଁ । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏଇଥି ପାଇଁ ବିଚାର କରାଯାଉଛି, କାରଣ ପୂର୍ବରୁ ଟ୍ରମ୍ପ ଓ ଟ୍ରମ୍ପଙ୍କ ପ୍ରଚାର ଟିମ ଅଭିଯୋଗ ଆଣୁଥିଲେ ଭୋଟଦାନ ଓ ଭୋଟ ଗଣନାରେ ଜାଲିଆତି କରାଯାଇଛି । ହେଲେ ପ୍ରଥମ ଥର ପାଇଁ ପରାଜୟକୁ ପରୋକ୍ଷରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ ।

ଅନ୍ୟପଟେ, ବିଦେଶ ବିଭାଗ ସଚିବ ମାଇକ ପମ୍ପିଓ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ହିଁ ଆମେରିକାର ରାଷ୍ଟ୍ରପତି ରହିବେ । ପମ୍ପିଓ କେଉଁ ଆଧାରରେ ଏହି ବୟାନ ଦେଲେ ନା ତାହା କେବଳ ଏକ ରାଜନୈତିକ ଷ୍ଟଂଟ ଥିଲା ସ୍ପଷ୍ଟ ହୋଇ ନାହିଁ । ଆମେରିକା ନିର୍ବାଚନ ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି, ହେଲେ ବର୍ତମାନ ସୁଦ୍ଧା ଟ୍ରମ୍ପଙ୍କ ଏମିତି କୌଣସି ବୟାନ ଆସିନାହିଁ । ଯେଉଁଥିରେ ସେ ଗଣତାନ୍ତ୍ରିକ ପଦ୍ଧତିରେ ପରାଜୟକୁ ସ୍ୱୀକାର କରିଛନ୍ତି । ସେପଟେ ଫଳାଫଳ ଆସିବା ପରେ ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କୁ ହଟାଇ ତାଙ୍କ ସ୍ଥାନରେ ନିଜ ଅନୁଗତଙ୍କୁ କାର୍ଯ୍ୟଭାର ଦେଇଛନ୍ତି । ତେଣୁ ସେନା ସହାୟତାରେ ଟ୍ରମ୍ପ କ୍ଷମତା କବଜା କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା, ହେଲେ ଏହାର ବଳିଷ୍ଠ ପ୍ରମାଣ ମିଳିନାହିଁ ।