ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ ।

187

କନକ ବ୍ୟୁରୋ: ବନ ବିଭାଗର ଭଲ ପ୍ରୟାସ । ଗଛ କଟାଗଲାନି, ଅନ୍ୟତ୍ର କରାଗଲା ସ୍ଥାନାନ୍ତର । କଟକ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ସାଢେ ୬ ହଜାର ଗଛ କଟାଯିବାର ଥିଲା । ଗଛ କଟାଯିବା ପରେ ରାସ୍ତା ସମ୍ପ୍ରସାରଣ ହୋଇଥାନ୍ତା । ହେଲେ କଟକ ବନଖଣ୍ଡ ଅଧିକାରୀଙ୍କ ଉଦ୍ୟମ ପାଇଁ କଟାଯିବାକୁ ଥିବା ସାଢେ ୬ ହଜାର ଗଛ ମଧ୍ୟରୁ ଅଧାରୁ ଅଧିକ ଗଛ କଟାଯିବାରୁ ବଞ୍ଚିଯାଇଛି । ଗଛ ଗୁଡ଼ିକ ଯେପରି କଟା ନଯିବ ଓ ସେସବୁକୁ ଅତ୍ୟାଧୁନିକ ମେସିନ୍ ଜରିଆରେ ସ୍ଥାନାନ୍ତର କରାଯାଇ ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବନ ବିଭାଗର ଏଭଳି ଉଦ୍ୟମ ପାଇଁ ସାଢେ ତିନି ହଜାର ଗଛ ବଞ୍ଚି ଯାଇଛି ।

ଚଣ୍ଡିଖୋଲରୁ ପାରାଦୀପ ଜାତୀୟ ରାଜପଥ ୮ ଲେନ୍ କରାଯିବା ନେଇ ଜାତୀୟ ପ୍ରାଧିକରଣ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏହା ପୂର୍ବରୁ କେତେ ଗଛ ବଳିପଡ଼ିବ ସେନେଇ ମଧ୍ୟ ସର୍ଭେ ହୋଇଥିଲା । ଏହା ପରେ ୬ ହଜାର ୪୭୩ଟି ଗଛ କଟାଯିବାକୁ ନିଷ୍ପତି ହୋଇଥିଲା । ହେଲେ ଏଥିରୁ ସର୍ବାଧିକ ଗଛ କିପରି କଟାନଯିବ ସେଥିପାଇଁ କଟକ ବନଖଣ୍ଡ ପକ୍ଷରୁ ଏନ୍ଏଚ୍ଏଆଇକୁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁ ଗଛ ଗୁଡ଼ିକୁ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଲଗାଯାଇ ପାରିବ ତାହା ବୁଝିବା ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ପ୍ରାୟ ସାଢେ ତିନି ହଜାର ଗଛ କଟାଯିବା ବଦଳରେ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।