କନକ ବ୍ୟୁରୋ: ମିଲର୍ସଙ୍କ ଧର୍ମଘଟ ଯୋଗୁଁ ଧାନମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ଓ କଲମପୁର ବ୍ଲକର ବିଭିନ୍ନ ମଣ୍ଡିରେ ପଡି ରହିଛି ପ୍ରାୟ ୫୦ ହଜାର କ୍ୱିଣ୍ଟାଲ ଧାନ । ମିଲର୍ସଙ୍କ ଧର୍ମଘଟ କେତେ ଦିନ ଜାରି ରହିବ ସେନେଇ କାହା ପାଖରେ ଖବର ନାହିଁ । ଅନ୍ୟପଟେ ଏବେ ଚାଷୀ ମଣ୍ଡିକୁ ଧାନ ଆଣି ଜଗି ରହିଛନ୍ତି ।

Advertisment

ସୂଚନା ଅନୁସାରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକରେ ଚଳିତ ବର୍ଷ ୫୭ଟି ମଣ୍ଡି ଖୋଲି ଧାନ କିଣା ଯାଉଛି । ପ୍ରଥମରୁ ବିଳମ୍ବରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଟୋକରେ ଅବ୍ୟବସ୍ଥା ଯୋଗୁଁ ବହୁ ଚାଷୀ ଧାନ ବିକ୍ରି କରିପାରିନଥିଲେ । ଏହାପରେ କଳାହାଣ୍ଡି ବନ୍ଦ ଓ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ମଣ୍ଡି ବନ୍ଦ ରହିଥିଲା । ଏହାପରେ କିଛି ଦିନ ଧାନ ବିକ୍ରି ହୋଇଥିଲା ବେଳେ ମିଲର୍ସଙ୍କ ଧର୍ମଘଟ ଚାଷୀଙ୍କ ଅଡୁଆକୁ ବଢାଇ ଦେଇଛି । ଏନେଇ ମିଲର୍ସଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।