ଥାଇଲାଣ୍ଡରେ ବଡ଼ ଧରଣର ଗଣବିକ୍ଷୋଭ । ଦେଶରେ ସାମ୍ବିଧାନିକ ସଂସ୍କାର ଦାବିରେ ବ୍ୟାଙ୍କକରେ ଜନସମୁଦ୍ର, ପାର୍ଲାମେଂଟ ଭଙ୍ଗ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିକ୍ଷୋଭକାରୀ ।

430

କନକ ବ୍ୟୁରୋ : ଥାଇଲାଣ୍ଡରେ ଜାରି ରହିଛି ବଡ଼ ଧରଣର ଗଣବିକ୍ଷୋଭ । ଦେଶର ବିଭିନ୍ନ ସହରରେ ସରକାରଙ୍କ ବିରୋଧରେ ହଜାର ହଜାର ବିକ୍ଷୋଭକାରୀ ଏକାଠି ହୋଇ ପ୍ରତିବାଦ କରୁଛନ୍ତି । କଟକଣା, କରୋନା ଭୟ, ପୁଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ଏହି ବିକ୍ଷୋଭ ବଢ଼ିବାରେ ଲାଗିଛି । ଦେଶରେ ସାମ୍ବିଧାନିକ ସଂସ୍କାର ଦାବି କରି ଏହି ବିକ୍ଷୋଭ ହେଉଛି ।

ଥାଇଲାଣ୍ଡରେ ବଡ଼ ଧରଣର ଗଣବିକ୍ଷୋଭ । ସରକାରଙ୍କ ବିରୋଧରେ ବଢ଼ୁଛି ଜନମତ, ରାଜକୀୟ ପ୍ରଥା ବିରୋଧରେ ଏକାଠି ହେଲେ ହଜାର ହଜାର ଜନତା । କଟକଣା, କରୋନା ଭୟ, ପୁଲିସର କାର୍ଯ୍ୟାନୁଷ୍ଠାନ କିଛି ବି ଅଟକାଇ ପାରିନି ସେମାନଙ୍କୁ । ରୋକିପାରିନି ସେମାନଙ୍କ ପଥ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ବିଶାଳ ଜନସମୁଦ୍ରକୁ ଦେଖିଲେ ଏପରି ହିଁ କିଛି ଲାଗୁଛି । ଦେଶରେ ଏବେ ଜୋରଦାର ଚାଲିଛି ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ । ରାଜଧାନୀ ବ୍ୟାଙ୍କକ ସହ ଦେଶର ଅନ୍ୟ ସହରମାନଙ୍କରେ ଏପରି ବିକ୍ଷୋଭ ବଢ଼ି ବଢ଼ି ଚାଲିଛି । ଦେଶରେ ସଂସ୍କାର ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ବିକ୍ଷୋଭକାରୀ । ମୁଖ୍ୟତଃ ୩ଟି ଦାବି କରିଆସୁଛନ୍ତି ବିକ୍ଷୋଭକାରୀମାନେ । ଏହା ଭିତରେ ରହିଛି ସଂସଦ ଭଙ୍ଗ କରିବା । ଏହାସହ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍-ଓଚା ଇସ୍ତଫା ଦେବାକୁ ସେମାନେ ଦାବି କରୁଛନ୍ତି । ତୃତୀୟ ଦାବିଟି ହେଲା ଦେଶରେ ରାଜକୀୟ ପରମ୍ପରାରେ ସଂସ୍କାର ଆଣିବା ।

ଜୁଲାଇ ମାସରୁ ଦେଶରେ ଏପରି ବିକ୍ଷୋଭ ହୋଇଆସୁଛି । ଧୀରେ ଧୀରେ ଏହି ବିକ୍ଷୋଭ ଲମ୍ବା ହୋଇଚାଲିଥିବା ବେଳେ ଦେଶର ଗୋଟିଏ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ବ୍ୟାପିଚାଲିଛି ।

ଥାଇଲାଣ୍ଡରେ ମୋଟ୍ ଲୋକସଂଖ୍ୟା ପ୍ରାୟ ୭ କୋଟି । ଦେଶରେ ପ୍ରାୟ ଅଧିକାଂଶ ନାଗରିକ ବୌଦ୍ଧ ଧର୍ମାବଲମ୍ବୀ । ଥାଇଲାଣ୍ଡରେ ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ରାଜକୀୟ ଶାସନ ଥିଲା । ତେବେ ୧୯୩୨ରେ ଏହା ବଦଳି ସାମ୍ବିଧାନିକ ରାଜକୀୟ ଶାସନରେ ପରିଣତ ହେଲା । ଦେଶରେ ଯଦିଓ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଶାସନ ଭାର ସମ୍ଭାଳିଥାନ୍ତି, ତେବେ ଦେଶର ସାମ୍ବିଧାନିକ ଶାସନ ମୁଖ୍ୟ ହେଉଛନ୍ତି ରାଜା । ମହା ବଜ୍ରଲଙ୍ଗକର୍ଣ୍ଣ ଏବେ ଥାଇଲାଣ୍ଡର ରାଜା ଅଛନ୍ତି । ୨୦୧୬ରେ ତାଙ୍କ ପିତା ତଥା ତତ୍କାଳୀନ ରାଜା ଭୂମିବୋଲ ଅଦୁଲୟାଦେଜଙ୍କ ପରଲୋକ ପରେ ସେ ଥାଇଲାଣ୍ଡ ରାଜା ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ।

ଦେଶରେ ରାଜପରିବାରକୁ ନେଇ ଦୁଇଟି ଗୋଷ୍ଠୀ ରହିଆସିଛନ୍ତି । ଗୋଟିଏ ଗୋଷ୍ଠୀ ରାଜପରିବାରକୁ ବିରୋଧ କରି ଆସୁଥିବା ବେଳେ ଅନ୍ୟ ଗୋଷ୍ଠୀ ରାଜପରିବାର ପ୍ରତି ଏକାନ୍ତ ଅନୁଗତ । ତେବେ ଦେଶରେ ନିର୍ବାଚିତ ସରକାର ବଦଳରେ ସେନା ଅଧିକ ସମୟ ଶାସନ କରିଛି । ୨୦୦୬ରେ ସେତେବେଳର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥାକସିନ ସିନାୱାତ୍ରାଙ୍କୁୁ ସାମରିକ ବିଦ୍ରୋହରେ ବିଦା କରିଥିଲା ସେନା । ସେବେଠାରୁ ଥାକସିନ ସିନାୱାତ୍ରା ବିଦେଶରେ ନିର୍ବାସନରେ ଅଛନ୍ତି । ଏହାପରେ ତାଙ୍କ ଭଉଣୀ ୟିଙ୍ଗଲିକ ସିନାୱାତ୍ରା ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ତାଙ୍କ ଦେଶର ସାମ୍ବିଧାନିକ କୋର୍ଟଙ୍କ ରାୟ କ୍ରମେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।

ଥାଇଲାଣ୍ଡରେ ମୁଖ୍ୟତଃ ରାଜପରିବାରକୁ ବିରୋଧ କରୁଥିବା ଲୋକମାନେ ସିନାୱାତ୍ରା ପରିବାରର ସମର୍ଥକ । ଠିକ୍ ସେହିପରି ରାଜପରିବାରର ଅନୁଗତମାନେ ସିନାୱାତ୍ରା ପରିବାରକୁ ବିରୋଧ କରିଆସିଛନ୍ତି । ଏହାକୁ ନେଇ ଦେଶର ରାଜନୀତିରେ ସବୁବେଳେ ଛକାପଂଝା ଜାରି ରହିଆସିଛି ।