ଖାଇବା କେଉଁଠି, ରହିବା କେଉଁଠି... ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫସିଛନ୍ତି ହଜାର ହଜାର ଓଡିଆ ଶ୍ରମିକ । ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି, ଘରକୁ ଫେରାଇ ନେବାକୁ ନେହୁରା ହେଉଛନ୍ତି...

Advertisment
ଗାଁ ପରେ ଗାଁ ଆସୁଛି, ଜିଲ୍ଲା ପରେ ଜିଲ୍ଲା... ବାଟ ସରୁନି କି ରାସ୍ତା କମୁନି... ତାଲାବନ୍ଦ ବେଳେ ତତଲା ଖରାରେ ଚାଲି ଚାଲି ଘରମୁହାଁ ଶହ ଶହ ଶ୍ରମିକ...

କନକ ବ୍ୟୁରୋ: ସାରା ଦେଶ ବର୍ତ୍ତମାନ ଲକଡାଉନ ଥିବାବେଳେ ଓଡିଶା ବାହାରେ ଅଟକି ଯାଇଥିବା ଦାଦନ ଶ୍ରମିକଙ୍କ ନିବେଦନ ଅନେକଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଅଧା ବାଟରେ ଅଟକିଥିବା ଶ୍ରମିକ, ଘରମୁହାଁ ହୋଇଥିବା ଦାଦନ ହାତଯୋଡି ଅନୁରୋଧ କରୁଛନ୍ତି କେମିତି ତାଙ୍କୁ ନିଜ ରାଜ୍ୟ ଓଡିଶାକୁ ଫେରାଇ ଅଣାଯିବ ।

ପାଖରେ ଖାଇବାକୁ କିଛି ନାହିଁ, ରହିବା ପାଇଁ ଜାଗାଟିଏ ବି ନାହିଁ । ସାଇତା ସାମଗ୍ରୀ ସରିଗଲାଣି, ଯେଉଁଠି ଫସିଛନ୍ତି ସେଠାକାର ରାଜ୍ୟ ସରକାରମାନେ ସେଭଳି ସହାୟତାର ହାତ ବଢାଉ ନାହାନ୍ତି । ମୁଖ୍ୟତଃ ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟର ସୁରଟ, ତେଲେଙ୍ଗାନା ଆଦି ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

publive-image

ସେପଟେ ଓଡିଶା ବାହାରେ ଫସିଥିବା ଶ୍ରମିକଙ୍କୁ ରାଜ୍ୟ ସରକାର ଆଶ୍ୱାସନା ଦେଇଛନ୍ତି କି ସେମାନେ ଭୟଭୀତ ହୁଅନ୍ତୁ ନାହିଁ । ଓଡିଶା ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ଶ୍ରମିକମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିବେ ।

ଏପଟେ କେନ୍ଦ୍ର ସରକାର ସବୁରାଜ୍ୟ, ଏପରିକି ଜିଲ୍ଲାଗୁଡିକର ସୀମା ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ରୋକିବାକୁ ସୀମା ସିଲ କରି କୌଣସି ପ୍ରବାସୀଙ୍କୁ ଅନ୍ୟରାଜ୍ୟକୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ଯେଉଁ ଶ୍ରମିକମାନେ ଘରକୁ ଫେରୁଛନ୍ତି ସେମାନଙ୍କୁ ସେହି ଅଞ୍ଚଳରେ ରହିବାର ବ୍ୟବସ୍ଥା କରନ୍ତୁ । କମ୍ପାନୀ ଏବଂ ଦୋକାନୀମାନେ ଶ୍ରମିକଙ୍କ ମାସକର ଦରମା ପ୍ରଦାନ କରନ୍ତୁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

publive-image

ତେବେ ଭଡାରେ ରହୁଥିବା ଘର ମାଲିକଙ୍କୁ ଏକ ମାସର ଟଙ୍କା ଦେବେନି ଦାଦନ ଶ୍ରମିକ । ମାସେ ପର୍ଯ୍ୟନ୍ତ ଘରଭଡା ନନେବାକୁ ମାଲିକମାନଙ୍କୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । ସଙ୍କଟ ସମୟରେ ଶ୍ରମିକମାନଙ୍କ ଠାରୁ ଭଡା ନନେବାକୁ ସମସ୍ତ ମାଲିକଙ୍କୁ ତାଗିଦ କଲେ କେନ୍ଦ୍ର ସରକାର । ନିର୍ଦ୍ଦେଶ ପରେ ଯଦି କୌଣସି ଘର ମାଲିକ ଶ୍ରମିକଙ୍କ ଠାରୁ ଭଡା ନିଅନ୍ତି କିମ୍ବା ଘର ଛାଡିବାକୁ କୁହନ୍ତି ତେବେ ସେମାନେ ଦଣ୍ଡିତ ହେବେ । ଜିଲ୍ଲାପାଳ ଓ ଏସପି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe