ଖାଇବା କେଉଁଠି, ରହିବା କେଉଁଠି… ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫସିଛନ୍ତି ହଜାର ହଜାର ଓଡିଆ ଶ୍ରମିକ । ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି, ଘରକୁ ଫେରାଇ ନେବାକୁ ନେହୁରା ହେଉଛନ୍ତି…

1,011

କନକ ବ୍ୟୁରୋ: ସାରା ଦେଶ ବର୍ତ୍ତମାନ ଲକଡାଉନ ଥିବାବେଳେ ଓଡିଶା ବାହାରେ ଅଟକି ଯାଇଥିବା ଦାଦନ ଶ୍ରମିକଙ୍କ ନିବେଦନ ଅନେକଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ଅଧା ବାଟରେ ଅଟକିଥିବା ଶ୍ରମିକ, ଘରମୁହାଁ ହୋଇଥିବା ଦାଦନ ହାତଯୋଡି ଅନୁରୋଧ କରୁଛନ୍ତି କେମିତି ତାଙ୍କୁ ନିଜ ରାଜ୍ୟ ଓଡିଶାକୁ ଫେରାଇ ଅଣାଯିବ ।

ପାଖରେ ଖାଇବାକୁ କିଛି ନାହିଁ, ରହିବା ପାଇଁ ଜାଗାଟିଏ ବି ନାହିଁ । ସାଇତା ସାମଗ୍ରୀ ସରିଗଲାଣି, ଯେଉଁଠି ଫସିଛନ୍ତି ସେଠାକାର ରାଜ୍ୟ ସରକାରମାନେ ସେଭଳି ସହାୟତାର ହାତ ବଢାଉ ନାହାନ୍ତି । ମୁଖ୍ୟତଃ ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟର ସୁରଟ, ତେଲେଙ୍ଗାନା ଆଦି ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ଓଡିଶା ବାହାରେ ଫସିଥିବା ଶ୍ରମିକଙ୍କୁ ରାଜ୍ୟ ସରକାର ଆଶ୍ୱାସନା ଦେଇଛନ୍ତି କି ସେମାନେ ଭୟଭୀତ ହୁଅନ୍ତୁ ନାହିଁ । ଓଡିଶା ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ଶ୍ରମିକମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିବେ ।

ଏପଟେ କେନ୍ଦ୍ର ସରକାର ସବୁରାଜ୍ୟ, ଏପରିକି ଜିଲ୍ଲାଗୁଡିକର ସୀମା ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ରୋକିବାକୁ ସୀମା ସିଲ କରି କୌଣସି ପ୍ରବାସୀଙ୍କୁ ଅନ୍ୟରାଜ୍ୟକୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ଯେଉଁ ଶ୍ରମିକମାନେ ଘରକୁ ଫେରୁଛନ୍ତି ସେମାନଙ୍କୁ ସେହି ଅଞ୍ଚଳରେ ରହିବାର ବ୍ୟବସ୍ଥା କରନ୍ତୁ । କମ୍ପାନୀ ଏବଂ ଦୋକାନୀମାନେ ଶ୍ରମିକଙ୍କ ମାସକର ଦରମା ପ୍ରଦାନ କରନ୍ତୁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଭଡାରେ ରହୁଥିବା ଘର ମାଲିକଙ୍କୁ ଏକ ମାସର ଟଙ୍କା ଦେବେନି ଦାଦନ ଶ୍ରମିକ । ମାସେ ପର୍ଯ୍ୟନ୍ତ ଘରଭଡା ନନେବାକୁ ମାଲିକମାନଙ୍କୁ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । ସଙ୍କଟ ସମୟରେ ଶ୍ରମିକମାନଙ୍କ ଠାରୁ ଭଡା ନନେବାକୁ ସମସ୍ତ ମାଲିକଙ୍କୁ ତାଗିଦ କଲେ କେନ୍ଦ୍ର ସରକାର । ନିର୍ଦ୍ଦେଶ ପରେ ଯଦି କୌଣସି ଘର ମାଲିକ ଶ୍ରମିକଙ୍କ ଠାରୁ ଭଡା ନିଅନ୍ତି କିମ୍ବା ଘର ଛାଡିବାକୁ କୁହନ୍ତି ତେବେ ସେମାନେ ଦଣ୍ଡିତ ହେବେ । ଜିଲ୍ଲାପାଳ ଓ ଏସପି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।