କନକ ବ୍ୟୁରୋ : ମୟୂରଭଂଜ ଗଡ଼ଜାତ ରାଜ୍ୟ ୧୯୪୯ ରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ରଭଂଜଦେଓ ମଠ ଓ ମନ୍ଦିର ନାମରେ ପ୍ରାୟ ପାଖାପାଖି ୪୪ ହଜାର ଏକର ଭୂସମ୍ପତି ସହ କୋଟି କୋଟି ଟଙ୍କାର ଅଳଙ୍କାର ଦେଇ ଯାଇଥିଲେ । ଏଥି ମଧ୍ୟରୁ କେବଳ ବାରିପଦାର ଜଗନ୍ନାଥ ମନ୍ଦିର ତଥା ଶ୍ରୀଶ୍ରୀହରିବଳଦେବଜୀଉଙ୍କ ନାମରେ ୨୧ ହଜାର ୭୫୨. ୭୯ ଏକର ଜମି ନାମିତ କରାଯାଇଥିଲା । ପରବର୍ତୀ ସମୟରେ ଏହି ସମସ୍ତ ସମ୍ପତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବତୋର ବିଭାଗ ହାତରେ ନ୍ୟସ୍ତ କରାଯାଇଥିଲା । କିନ୍ତୁ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ କାରଣରୁ ମହାପ୍ରଭୁଙ୍କ ସମ୍ପତି ହରିଲୁଟ ହେବାରେ ଲାଗିଛି । ଦେବତୋର ସମ୍ପତି ବିକ୍ରି ଅବା ହସ୍ତାନ୍ତର ହୋଇ ପାରିବ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ଚଂଚକତା ପୂର୍ବକ ଠାକୁରଙ୍କ ହଜାର ହଜାର ଏକର ଭୂସମ୍ପତି ହଡପ କରାଯାଇ ଥିବାର ଜଣାପଡ଼ିଛି ।
ମହାପ୍ରଭୁଙ୍କ ନାମରେ ହଜାର ହଜାର ଏକର ଭୁସମ୍ପତି ଥାଇ ମଧ୍ୟ ବେଳେବେଳେ ଠାକୁର ଓପାସରେ ରହିବାକୁ ପଡୁଛି । କେତେବେଳେ ମନ୍ଦିରରେ ରଙ୍ଗ ଦେବା ପାଇଁ ଅଭାବ ତ କେତେବେଳେ ରଥଯାତ୍ରା ପାଇଁ ଅର୍ଥର ଅଭାବ ପରିଲକ୍ଷିତ ହୋଇ ଆସୁଛି । ବହୁ ସରକାରୀ କାର୍ଯ୍ୟାଳୟ ସହିତ ବହୁ ଲୋକଙ୍କ ଘର, କିଛି ନାମିଦାମୀ ହୋଟେଲ ଏବେବି ଠାକୁରଙ୍କ ଦେବତୋର ଜମିରେ ରହିଛି । ବହୁଲୋକଙ୍କ ନାମରେ ହୋଇଥିବା ଲିଜ ଅବଧି ସରିଯାଇଥିଲେ ମଧ୍ୟ ଆଇନ ଅଦାଲତର ବାହାନା ଦେଖାଇ କୋଟିକୋଟି ଟଙ୍କାର ମହାପ୍ରଭୁଙ୍କ ସମ୍ପତିକୁ ବର୍ଷବର୍ଷ ଧରି ଦଖଲ କରି ଆସୁଛନ୍ତି । ନା ସରକାର ନା ଦେବତୋର ବିଭାଗ ଏହି ସମ୍ପତିରୁ କେହି କିଛି ଅର୍ଥ ପାଉନାହାଁନ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ବିଜେଙ୍କ ସମ୍ପତି ହରିଲୁଟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।
ଠାକୁରଙ୍କ ଏହି ଭୂସମ୍ପତିଗୁଡିକୁ ଉଦ୍ଧାର କରିବା ପାଇଁ ଦୀର୍ଘବର୍ଷ ଧରି ଜିଲ୍ଲାବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରାଜ୍ୟର ନୂଆ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।