ଦାମଙ୍କୁ ବହିଷ୍ମାର କର ! ନବୀନଙ୍କ ନିକଟରେ ଫେରାଦ ହେଲେ ହଜାର ହଜାର ବିଜେଡି କର୍ମୀ

64

କନକ ବ୍ୟୁରୋ : ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ନେଇ ଜୋର ଧରିଛି ଦାବି । ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ ଆଜି ଏରସମା-ବାଲିକୁଦା ଅଂଚଳର କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଛନ୍ତି । ନବୀନ ନିବାସରେ କର୍ମୀମାନେ ଦାମଙ୍କ ନାଁରେ ଦଳବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗ ଆଣିଛନ୍ତି । ଏଥିରେ ହଜାରେରୁ ଅଧିକ କର୍ମୀ ସାମିଲ ହୋଇଛନ୍ତି ।

ଦାମଙ୍କ ବେଲଗାମ ମୁହଁରେ ଲଗାମ ଲଗାଇବାକୁ କମର କଷିଛନ୍ତି ବିଜେଡି ନେତା । ଯାହାର ଶୁଭାରମ୍ଭ ଗତକାଲି ଠାରୁ ଆରମ୍ଭ ହୋଇଛି । ଦାମ ଯେଉଁଭଳି ଭାବେ ଦଳ ବିରୋଧୀ କାମ କରୁଛନ୍ତି ତାହା ଜଗତସିଂହପୁରରେ ଦଳକୁ ଅଡୁଆରେ ପକାଉଛି । ଖାସକରି ଗଣମାଧ୍ୟମ ସାମ୍ନାରେ ବିଜେଡି ସରକାରରେ ହୋଇଥିବା କିଛି ଦୁର୍ନୀତି ନେଇ ଗତ କିଛି ଦିନ ହେବ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇ ଆସୁଥିଲେ ଦାମ । ଯାହା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ଖାସକରି ଜଗତସିଂହପୁରର ଦୁଇ ବରିଷ୍ଠ ବିଜେଡି ନେତା ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦେଇଥିଲେ ଜଗତସିଂହପୁରର ଏହି ଦୁଇ ନେତା ।

ନବୀନଙ୍କ ନିକଟରେ ଫେରାଦ ହୋଇ ପ୍ରଶାନ୍ତ ମୁଦୁଲି କହିଥିଲେ, ଦାମଙ୍କ କାର୍ଯ୍ୟକଳାପ ଦଳକୁ ଅଡୁଆରେ ପକାଇଉଛି । ତାଙ୍କ ବୟାନ ଦଳ ପାଇଁ ଘାତକ ହେଉଛି । ତେଣୁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ । ସେହିପରି ବିଷ୍ଣୁ ଦାସ କହିଥିଲେ, ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ଦାମ ମାହିର । ଦଳିତ ବିରୋଧୀ ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ଚାଲିଛି । ତେଣୁ ତାଙ୍କ ବିରୋଧରେ ଫେରାଦ ହେବାକୁ ଆସିଥିଲେ ବୋଲି କହିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି । ଦାମଙ୍କୁ ବହିଷ୍କାର କରିବାର ଆବଶ୍ୟକତା ଥିବା ଯୁକ୍ତି ବାଢିଥିଲେ ବିଷ୍ଣୁ ।

ନିଜ ଜିଲ୍ଲାର ଦୁଇ ନେତା ତାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେବା ପରେ ଦାମ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକରୁ ମଧ୍ୟ ବାଦ୍ ଦିଆଯାଇଛି । ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଏଥିରେ କିଛି କହିବାର ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । କିନ୍ତୁ ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି ।

ଦାମ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ରଖୁଥିଲେ ତାହା ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ କରୁଥିଲା ବୋଲି ବିଜେଡି ନେତା ମାନେ କହିଛନ୍ତି । ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଦାମ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ତେବେ ଦାମଙ୍କର ଏଭଳି ଦଳବିରୋଧୀ ବୟାନ କିଛି ନୂଆ ନୁହେଁ । ଅନେକ ସମୟରେ ଦାମଙ୍କ ବୟାନ ପାଇଁ ଅଡୁଆରେ ପଡିଛି ଦଳ । ଏପରିକି ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବିଦା କରାଯାଇଛି । ଏପରିକି ଦଳର ଉପସଭାପତି ଓ ପ୍ରଭାରୀ ପଦରୁ ମଧ୍ୟ ବାଦ୍ ଦିଆଯାଇଛି । କିନ୍ତୁ ଏହାପରେ ମଧ୍ୟ ଦାମଙ୍କ ମୁହଁରେ ତୁଣ୍ଡି ଲାଗି ପାରିନାହିଁ । ତେଣୁ ଦାମଙ୍କୁ ଦମନ କରିବାକୁ ଏବେ ଦଳରୁ ବହିଷ୍କାର ହିଁ ଏକମାତ୍ର ରାସ୍ତା ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦଳୀୟ ନେତା । ଏସବୁ ଭିତରେ ବିଜେଡି ସୁପ୍ରିମୋ ଦାମଙ୍କ ବିରୋଧରେ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।