ବିଜେପିର ନୈତିକତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । କୁଆଡେ ଗଲା ବିଜେପିର ମହିଳା ବିରୋଧି ସ୍ୱର ବୋଲି ପ୍ରଶ୍ନ କଲେ ସସ୍ମିତ ପାତ୍ର

238

କନକ ବ୍ୟୁରୋ: ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ କରିଛନ୍ତି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ । ହେଲେ ଆଜି ଦିଲ୍ଲୀରୁ ଭୁବନେଶ୍ୱର ପହଂଚିବା ପରେ ମଧ୍ୟ ଦାମୋଦର ରାଉତ ନବୀନ ସରକାରଙ୍କ ଉପରେ ବର୍ଷିବାକୁ ଭୁଲି ନାହାଁନ୍ତି । ସେ କହିଛନ୍ତି, ନବୀନଙ୍କ ଶାସନ ସମୟରେ ରାଜ୍ୟରେ ଦୁର୍ନୀତି ଓ ନାରୀ ନିର୍ଯାତନା ବଢିଛି, ଚାଷୀ ଆତ୍ମହତ୍ୟା ହାର ମଧ୍ୟ ବଢିଛି । ଆଗାମୀ ନିର୍ବାଚନରେ ନବୀନ ସରକାରଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ସେପଟେ ବିଜେଡି ବିଜେପିର ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି । ସବୁବେଳେ ନୈତିକତାର କଥା ଉଠାଉଥିବା ବିଜେପି ଆଜି ରାଜନୈତିକ ସୁବିଧାବାଦୀତା ପାଇଁ ଏଭଳି କାର୍ଯ୍ୟ କରୁଛି । ଦାମବାବୁ ଯେତେବେଳେ ବିଜେପିରେ ସାମିଲ ହୋଇଛନ୍ତି । ଏଥିରେ ବଡ ନୈତିକତା ମୂଳକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପି ଗତ ୨ ବର୍ଷ ହେଲା ଅନେକ ପ୍ରଚାର, ପ୍ରସାର କରୁଥିଲା କି, ଆମେ ୧୨୦ ପ୍ଲସ ଲକ୍ଷ୍ୟ ରଖିଛୁ । ହେଲେ ଆଜି ବିଜେପି ପାଖରେ ୧୨୦ ପ୍ଲସ ପ୍ରାର୍ଥୀ ବି ନାହାଁନ୍ତି ୧୨୦ ଜାଗାରେ ଦେବା ପାଇଁ ବୋଲି ବିଜେପିକୁ କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି, ଯେଭଳି ଭାବରେ ଦାମବାବୁଙ୍କୁ ଦଳ ଅନେକ ଥର କଟାକ୍ଷ କରୁଥିଲା, ତାଙ୍କର କୁଶପୁତ୍ତଳିକା ଦାହ କରୁଥିଲା । ଆଜି ବଡ ପ୍ରଶ୍ନ ଉଠୁଛି କି , ଦାମଙ୍କ ମହିଳା ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଯେଉଁ ବିଜେପି ସ୍ୱର ଉତ୍ତୋଳନ କରିଥିଲା । ଆଜି ସେ ମହିଳା ବିରୋଧୀ ମତ ରହିଲା ନା ମହିଳା ସପକ୍ଷ ହୋଇଗଲା । ଯେଉଁ ଜାତିଆଣ ମନ୍ତବ୍ୟ ନେଇ ବିଜେପି ଦାମବାବୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା ଆଜି ସେ ମତଗୁଡିକ ଜାତିଆଣ ରହିଲା ନା ରହିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।