ସଂକ୍ରମଣ କମାଇବା ନେଇ ବିଏମସିର ବଡ ପଦକ୍ଷେପ । ୫ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଫେରିଲେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ନଜର ପକାନ୍ତୁ ଆପଣ ଫେରୁଛନ୍ତି କି ଏହି ସବୁ ଜିଲ୍ଲାରୁ…

5,266

କନକ ବ୍ୟୁରୋ: ବସ୍ତି ଅଂଚଳରେ ସଂକ୍ରମଣ ରୋକିବାକୁ ବଡ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ରାଜ୍ୟର ୫ଟି ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଂଚଳକୁ ଆସିଲେ କ୍ୱାରେଂଟିନ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଛି । ବିଏମସିର ନିଷ୍ପତି ଅନୁଯାୟୀ, ଯେଉଁମାନେ ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଂଚଳକୁ ଆସିବେ ସେମାନଙ୍କୁ ୧୪ ଦିନ କ୍ୱାରେଂଟିନ ସେଂଟରରେ ରଖାଯିବ ।

ବସ୍ତିକୁ କିଏ ଆସୁଛନ୍ତି, କେଉଁ ଜିଲ୍ଲାରୁ ଆସିଛନ୍ତି, ସେ ନେଇ ବସ୍ତିରେ ଗଠନ ହୋଇଥିବା ସର୍ଭେଲାନ୍ସ ଟିମ୍ ସେମାନଙ୍କ ତଥ୍ୟ ପ୍ରତ୍ୟକ ଦିନ ବିଏମସିକୁ ଦେବେ । ବିଏମସିର ଜୋନାଲ ଡେପୁଟି କମିଶନର ଏହି ତଥ୍ୟ ପାଇବା ପରେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବେ । ବିଏମସି ପକ୍ଷରୁ କୁହାଯାଇଛି, ଲକଡାଉନ କଟକଣା କୋହଳ ହେବା ପରେ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ଭୁବନେଶ୍ୱରକୁ ଆସିବାରେ ଲାଗିଲେଣି । ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ହଟସ୍ପଟ ଜିଲ୍ଲାରୁ ଆସିବା ପରେ ଭୁବନେଶ୍ୱରରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେଣୁ ଏହି ଆକ୍ରାନ୍ତମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ବସ୍ତି ଅଂଚଳରେ ଛୋଟ ଛୋଟ ଘର ଓ ଜନସଂଖ୍ୟା ଅଧିକ ଦୃଷ୍ଟିରୁ ଏହି ସଂକ୍ରମଣର ଆଶଙ୍କା ଆହୁରି ଅଧିକ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଗତକିଛି ଦିନ ଭିତରେ ଭୁବନେଶ୍ୱରର ସାଲିଆସାହି ବସ୍ତି ସମେତ ଆଉ କେତେକ ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।