କନକ ବ୍ୟୁରୋ : ଦିଲ୍ଲୀରେ ୨୩ ବର୍ଷୀୟ ଯୁବତୀଙ୍କ ଛାତିଥରା ମୃତ୍ୟୁକୁ ନେଇ ପୂରା ଦେଶ ବିଚଳିତ । କାର ସହ ଦୁର୍ଘଟଣା ପରେ ଯୁବତୀ ଜଣକ କାର ଚକରେ ଫଶିବା କାରଣରୁ ଅନେକ ବାଟ ଘୋଷାଡି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏପରିକି ଯୁବତୀଙ୍କ କ୍ଷତାକ୍ତ ଶରୀର ରାସ୍ତାରେ ଉଲଗ୍ନ ଅବସ୍ଥାରେ ପଡି ରହିଥିଲା । ଏହି ଘଟଣାରେ ୫ ଜଣ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Advertisment

ତେବେ ଏହି ହୃଦୟ ବିଦାରକ ଘଟଣାକୁ ନେଇ ପୂର୍ବତନ କ୍ରିକେଟର ତଥା ଦିଲ୍ଲୀରୁ ସାଂସଦ ଥିବା ଗୌତମ ଗମ୍ଭୀର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଗୌତମ ଗମ୍ଭୀର ଟ୍ୱିଟ୍ କରି କହିଛନ୍ତି, ସାମ୍ନାକୁ ଆସିଥିବା ଭିଜୁଆଲ ଛାତି ଥରାଇ ଦେବ । କାରଣ ମୃତ ଯୁବତୀଙ୍କ ଶରୀରର ପଛ ପାଶ୍ୱର୍ ସମ୍ପୂର୍ଣ୍ଣ ରୂପେ ଛିଡି ଯାଇଥିଲା । ଯେଉଁ ଯୁବକ ମାନେ କାରରେ ଘୋଷାଡି ଯୁବତୀଙ୍କ ଜୀବନ ନେଲେ ସେମାନେ ଅତି ନୃଂଶସ ହତ୍ୟାକାରୀ । ତେଣୁ ସେମାନଙ୍କୁ ଅତି କଠିନ ସଜା ଦେବାର ଆବଶ୍ୟକତା ରହିଛି ।

ସେହିଭଳି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯୁବତୀଙ୍କ ମୃତଦେହକୁ ୧୮ରୁ ୨୦ କିଲୋମିଟର ଯାଏଁ ଘୋଷାଡି ନେଇଥିଲେ କାର ଚାଳକ । ପାଖାପାଖି ରାତି ୩ଟା ୨୦ ମିନିଟ୍ ସମୟରେ ଦୋକାନ ବାହାରେ ଛିଡା ହୋଇଥିବା ସମୟରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା । ଲାଗିଲା ଯେମିତି ଟାୟାର ଫାଟି ଯାଇଛି । କିନ୍ତୁ ଏହାର କିଛି ସମୟ ମଧ୍ୟରେ ହିଁ ଏକ କାର ଦ୍ରୁତ ଗତିରେ ଆଗକୁ ଗଲା । ଆଉ କାରରେ ଜଣେ ଯୁବତୀ ଘୋଷାଡି ଘୋଷାଡି ହୋଇ ଯାଉଥିଲେ । ଏନେଇ ପୋଲିସକୁ ପ୍ରଥମେ ସୂଚିତ କରିଥିଲି । ତେବେ ରାସ୍ତା ମୋଡରେ ଶବ ପଡିବା ପରେ କାରରେ ଥିବା ଯୁବକ ମାନେ ଫେରାର ହୋଇଯାଇଥିଲେ ।