କନକ ବ୍ୟୁରୋ : ଲଗାତର ଦ୍ୱିତୀୟ ବର୍ଷ ପାଇଁ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଉନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଶେଷଥର ପାଇଁ ୨୦୨୦ ମସିହାରେ ଦିଲ୍ଲୀ ରାଜପଥରେ ଓଡିଶାର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣାରଥ ପ୍ରଜ୍ଞାପନ ମେଢ ଗଡିଥିଲା । ସେତେବେଳେ ଏହା ବିଶେଷ ଭାବେ ଆଦୃତ ହୋଇଥିବାବେଳେ ଏହାପରଠାରୁ ଆଉ ଓଡିଶା ମେଢ ଦିଲ୍ଲୀରେ ଗଡୁନି । ଏଥର ସ୍ୱାଧୀନତାର ୭୫ ବର୍ଷ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଚୟନ କମିଟି ଗଠନ କରାଯାଇଛି ।

Advertisment

ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ଓଡିଶା ପକ୍ଷରୁ ପ୍ରଜ୍ଞାପନ ମେଢ ପାଇଁ ୫ଟି ପ୍ରସ୍ତାବ ପଠା ଯାଇଥିଲା । ଯେଉଁଥିରେ ବକ୍ସି ଜଗବନ୍ଧୁ- ପାଇକ ବିଦ୍ରୋହ, ବୀର ସୁରେନ୍ଦ୍ର ସାଏ- ଓଡିଶା ବୟନ ଶିଳ୍ପ, ଚାଖି ଖୁଂଟିଆ, ଓଡିଶାର ହକି ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଭଳି ବିଷୟବସ୍ତୁ ରହିଥିଲା । ଜଣାପଡିଛି ଓଡିଶାର ୫ଟି ଡିଜାଇନରୁ କେବଳ ବକ୍ସି ଜଗବନ୍ଧୁ- ପାଇକ ବିଦ୍ରୋହ ଡିଜାଇନକୁ ୩ଟି ବୈଠକରେ ଆଲୋଚନା କରାଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟର ଚତୁର୍ଥ ବୈଠକରେ ଏହାକୁ ବାଦ୍ ଦିଆଯାଇଥିଲା । ପ୍ରସ୍ତାବକୁ କାହିଁକି ବାଦ ଦିଆଗଲା ସେନେଇ ବିଶେଷଜ୍ଞ କମିଟି କୌଣସି କାରଣ ଦର୍ଶାଇ ନାହିଁ ।

ହେଲେ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସସଂଦରେ କହିଥିଲେ । ତେଣୁ ଏହି ପ୍ରସ୍ତାବକୁ ବାଦ ଦେଇଥିବା ସନ୍ଦେହ କରାଯାଉଛି । ତେବେ ବଡକଥା ହେଲା ତାଲିକାରୁ ବାଦ ପଡିଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଭଳି ରାଜ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ରାଜନୈତିକ ପ୍ରସଙ୍ଗ କରିଛନ୍ତି । ହେଲେ ଲଗାତର ୨ବର୍ଷ ହେଲା ବାଦ ପଡୁଥିଲେ ମଧ୍ୟ ଚୁପ୍ ବସିଛି ଓଡିଶା । ଯାହାକୁ ନେଇ ବିଭିନ୍ନ ମହରେ ଏବ ପ୍ରଶ୍ନ ଉଠୁଛି ।