ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା :  ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟିର ବୈଠକ ପରେ ନିଷ୍ପତ୍ତି : କରୋନା ପାଇଁ ବନ୍ଦ ହେବ ଯାତ୍ରା

192

କନକ ବ୍ୟୁରୋ : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାକାଶ ରଂଙ୍ଗ ମଂଚରେ ମଂଚସ୍ଥ ହେଉଥିବା ଧନୁଯାତ୍ରା । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଧନୁଯାତ୍ରା ଚଳିତ ବର୍ଷ ବନ୍ଦ ରହିବ ବୋଲି ନିଷ୍ୱତି ହୋଇଛି । ଧନୁଯାତ୍ରା ଶ୍ରଦ୍ଧାଳୁଙ୍କ ଜନ ଗହଳି ସମାଗମ ନେଇ ଏଭଳି ନିଷ୍ପତି ନିଆଯାଇଛି ।

ପ୍ରତିବର୍ଷ ବରଗଡ଼ ଧନୁଯାତ୍ରା ଦେଖିବାକୁ ଲୋକଙ୍କ ଗହଳି ଲାଗେ । ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଂଚରେ ଅଭିନୟ କରନ୍ତି କଳାକାରମାନେ । ଦେବକୀ ବାସୁଦେବଙ୍କ ବିବାହ ଉତ୍ସବ, ଦୈବବାଣୀରେ କଂସଙ୍କ ମନରେ ଭୟ ସଂଚାର, ଦେବକୀ-ବାସୁଦେବଙ୍କ କାରାବରଣ ଏବଂ ଯୁବରାଜ କଂସଙ୍କ ସିଂହାସନ ଆହୋରଣ ଭଳି ଦୃଶ୍ୟ ମଂଚରେ କଳାକାରମାନେ ପରିବେଶଣ କରନ୍ତି । ରାଜ୍ୟ ଓ ଦେଶର ବିଭିନ୍ନ କୋଣରୁ ସାଂସ୍କୃତିକ ଦଳ ଆସି ମଂଚରେ ନୃତ୍ୟ ପରିବେଶଣ କରିଥାନ୍ତି । ହେଲେ ଏବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ବନ୍ଦ ହୋଇଯାଇଛି ।