କନକ ବ୍ୟୁରୋ: ଚଳିତ ବର୍ଷ ମଣିଷ ମସ୍ତିଷ୍କରେ ଲାଗିବ ଚିପ୍ । ଏନେଇ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କର ଯୋଜନା ରହିଛି । ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତଥା ଉଦ୍ୟୋଗୀ ଏଲନ ମସ୍କଙ୍କ ଷ୍ଟାଟଅପ୍ କମ୍ପାନି ନ୍ୟୁରାଲିଙ୍କ୍ ଚଳିତ ବର୍ଷ ମଣିଷ ମସ୍ତିଷ୍କରେ ଚିପ୍ ରୋପଣ କରିବା ନେଇ ଯୋଜନା ରଖିଛି । ପ୍ୟାରିସ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏଭଳି ସୂଚନା ଦେଇଛନ୍ତି ମସ୍କ ।
ମେରୁଦଣ୍ଡ ଜନିତ ଆଘାତ କାରଣରୁ ପକ୍ଷାଘାତ ରୋଗରେ ପୀଡ଼ିତ ରୋଗୀଙ୍କ ଠାରେ ଚିପ୍ ରୋପଣ ହେବ ବୋଲି ଭିଭାଟେକ କାର୍ଯ୍ୟକ୍ରମରେ ଯୋଗ ଦେଇ ନ୍ୟୁରାଲିଙ୍କ୍ର ସହ-ପ୍ରତିଷ୍ଠାତା ମସ୍କ କହିଛନ୍ତି । ଏହାର ୱେବକାଷ୍ଟିଂ ମଧ୍ୟ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।ତେବେ କେତେଜଣ ରୋଗୀଙ୍କ ଠାରେ ଏହି ଚିପ୍ ରୋପଣ ହେବ କିମ୍ବା କେତେ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ ସେ ନେଇ କିଛି ସୂଚନା ଦେଇନାହାନ୍ତି । ଗତବର୍ଷ ନ୍ୟୁରାଲିଙ୍କ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡ଼ିଏ ଠାରୁ ମନୁଷ୍ୟ ଠାରେ ଚିପ୍ ରୋପଣ ପରୀକ୍ଷା ପାଇଁ ଅନୁମତି ହାସଲ କରିଛି । ଅନ୍ୟପଟେ ମସ୍ତିଷ୍କର ଚିପ୍ ରୋପଣ ନିରାପଦ ବୋଲି ଯଦି ବି ନ୍ୟୁରାଲିଙ୍କ ପ୍ରମାଣ କରିପାରେ ତଥାପି ଏହାର ବାଣିଜ୍ୟିକ ଅନୁମତି ପାଇବା ପାଇଁ କମ୍ପାନିକୁ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଲାଗିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।