ରସାୟନ ନୁହେଁ, ହର୍ବାଲ ହୋଲି । ଏଥର ହଳଦୀ, ଚନ୍ଦନ, ଟମାଟୋ ଓ ମୁଲତାନି ମାଟିର ରଂଗରେ ଖେଳାଯିବ ହୋଲି । ଘଣ୍ଟା ଘଣ୍ଟା ଧରି ରଙ୍ଗରେ ବୁଡ଼ି ରହିଲେ ବି ଶରୀରକୁ ମିଳିବ ଫାଇଦା

535

କନକ ବ୍ୟୁରୋ: ନାଲି, ହଳଦୀ ଓ ସବୁଜ ରଙ୍ଗରେ ଦେହ ରଙ୍ଗେଇ ହେବ। କିନ୍ତୁ ସେ ରଙ୍ଗ, ବଜାରରେ ମିଳୁଥିବା କୌଣସି ରସାୟନ କିମ୍ବା ସୁଗନ୍ଧ ଯୁକ୍ତ ରଙ୍ଗ ନୁହେଁ। ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଶରୀର ପାଇଁ ହିତକର। ଘଣ୍ଟା ଘଣ୍ଟା ସେ ରଙ୍ଗରେ ବୁଡ଼ି ରହିଲେ ବି ଶରୀରର କୌଣସି କ୍ଷତି ହେବନି। ଓଲଟା ଶରୀର ପାଇଁ ବହୁ ଫାଇଦା ନେଇ ଆସିବ। ଚନ୍ଦନ, ହଳଦୀ, ପୁଦିନା ପାଣି, ମୁଲତାନି ମାଟି, ଟମାଟୋ ବଟା ଓ ନିମ ପତ୍ର ଗୁଣ୍ଡ ଆଦି ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀରେ ଖେଳାଯିବ ଏହି ହର୍ବାଲ ହୋଲି। ‘ସ୍ୱପ୍ନା ପତି ଫାଉଣ୍ଡେସନ୍’ ପକ୍ଷରୁ ଦୀର୍ଘ ୮/୯ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ହର୍ବାଲ ହୋଲି ସମାରୋହ ଏଥର ମଧ୍ୟ ଆୟୋଜିତ ହେଉଛି।

ଫାଉଣ୍ଡେସନ୍‌ର ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆସାନ୍ତା ୮ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଭୁବନେଶ୍ୱର ହୋଟେଲ କଳିଙ୍ଗ ଅଶୋକାରେ ଏବଂ ୧୦ ତାରିଖରେ ପୁନେଠାରେ ଏହି ହର୍ବାଲ ହୋଲି ଉତ୍ସବ ଅନୁଷ୍ଠିତ ହେବ। କରୋନା ଭୂତାଣୁକୁ ନେଇ ଯଦି ସରକାର କୌଣସି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରନ୍ତି ତେବେ ତାକୁ ନଜରରେ ରଖି ଉତ୍ସବରେ କିଛି ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି।

ଆସନ୍ତା ୮ ତାରିଖରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ହୋଇଥିବାରୁ ସଂଘର୍ଷ ଓ ସଂଗ୍ରାମ କରି ଜୀବନରେ ସଫଳ ହୋଇଥିବା ୩ ଜଣ ମହିଳାଙ୍କୁ ଏହି ସମାରୋହରେ ସମ୍ମାନିତ କରାଯିବ।ଏଥିସହ ଫୁଟବଲ ଖେଳି ଗୋଲ୍ଡ ମେଡାଲ ଜିତିଥିବା ୪୦ ବର୍ଷରୁ ଅଧିକ ବୟସର ମହିଳା ଦଳଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଆକର୍ଷଣ ରହିବ। ଉତ୍ସବରେ ଓଲିଉଡ୍‌ର କଳାକାରମାନେ ଯୋଗ ଦେଇ ହର୍ବାଲ ହୋଲିକୁ ଅଧିକ ରଙ୍ଗିନ ଓ ଆକର୍ଷଣୀୟ କରିବେ। ଏଥିରେ ସାମିଲ ହେବା ପାଇଁ ପାସ୍ ବ୍ୟବସ୍ଥା ହୋଇଛି। ସେଥିଲାଗି ଫାଉଣ୍ଡେସନ୍ ସହିତ ଯୋଗାଯୋଗ କରିବାକୁ ପଡ଼ିବ।