ସବୁଥିରେ ଆଲର୍ଜି । ଖାଇବା ପିଇବା ସବୁଥିରେ ବିପଦ । ଏହି କାରଣରୁ ଏବେ କଲବଲ ହେଉଛନ୍ତି ମହିଳା ।

383

କନକ ବ୍ୟୁରୋ: ପାଖାପାଖି ସବୁ ଜିନିଷରେ ଏଲର୍ଜି । ଏପରିକି ଗରମ ପାଣିରେ ଗାଧୋଇ ପଡିଲେ ବି ଅବସ୍ଥା ସଙ୍ଗୀନ । ନିକଟରେ ଏକ ସ୍ୟାଣ୍ଡୱିଚ୍ ଖାଇବାରୁ ଏଭଳି ଅବସ୍ଥା ହେଲା ଯେ, ଜୀବନ ଯିବା ଭଳି ପରିସ୍ଥିତି ସୃଷ୍ଟିି ହୋଇଗଲା । ଗୋଟିଏ ସ୍ୟାଣ୍ଡୱିଚ୍ ଖାଇବା ପରେ ମହିଳା ଜଣକ ଆଉ ନିଃଶ୍ୱାସ ପ୍ରଶ୍ୱାସ ନେଇପାରିଲେ ନାହିଁ । ଫଳରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏହା ପୂର୍ବରୁ ବି ଅନେକ ଥର ଖାଦ୍ୟ ଆଲର୍ଜି ଘଟିବାରୁ ମୃତ୍ୟୁ ମୁଖରୁ ବର୍ତ୍ତିଛନ୍ତି ।

ଲଣ୍ଡନର ଇଷ୍ଟ ସସେକ୍ସରେ ରହୁଥିବା ୨୬ ବର୍ଷିୟା ଏହି ମହିଳା ମିୟା ଲୈଞ୍ଚବରୀ । ବୃତ୍ତିରେ ଜଣେ ନର୍ସ । ରୋଗୀଙ୍କୁ ସେବା କରୁଥିବା ଲିୟାଙ୍କ ଜୀବନ ଏବେ ଦୁର୍ବିସହ । କହିବାକୁ ଗଲେ ତାଙ୍କ ଖାଦ୍ୟ ପାନୀୟ ସବୁଥିରେ କଟକଣା । ମନ ଖୁସିରେ କିଛି ଖାଇବାକୁ ବି ମନା । କାରଣ ଏସବୁ ତାଙ୍କ ପାଇଁ ବିପଦ ହୋଇପାରେ । ଏଥିରେ ସାମାନ୍ୟ ଏପଟ ସେପଟ ହେଲେ ଜୀବନ ବି ଚାଲିଯାଇପାରେ । ତେଣୁ ଇଚ୍ଛାକୁ ମାରି ବୁଝି ବିଚାରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇବା ପିଇବାକୁ ପଡେ ମିୟାଙ୍କୁ । ଖାଲି ଏତିକି ନୁହେଁ ଅନେକ ସମୟରେ ତାଙ୍କୁ ଫିଡିଙ୍ଗ ଟ୍ୟୁବ ମାଧ୍ୟମରେ ଖାଦ୍ୟ ଦିଆଯାଏ ।

‘ଦ ମିରର’ର ସୂଚନା ମୁତାବକ, ମିୟା ନିଜ ବନ୍ଧୁଙ୍କ ସହ ବୁଲିବାକୁ ଯାଉଥିଲେ । ବାଟରେ ସେ ଏକ ସ୍ଥାନରେ ସ୍ୱାଣ୍ଡୱିଚ୍ ଖାଇଥିଲେ । ଏହାପରେ ତାଙ୍କୁ ଶ୍ୱାସକ୍ରିୟାରେ ଉକ୍ରଟ ସମସ୍ୟା ଦେଖାଦେବାରୁ ତାଙ୍କୁ ତୁରନ୍ତତ ହସ୍ପିଟାଲ ନିଆଯାଇଥିଲା । ପିଲାଦିନୁ ମିୟାଙ୍କର ରହିଛି ଆସ୍ଥମା ସମସ୍ୟା । ତାଙ୍କର ଅନେକ ଶରୀରିକ ସମସ୍ୟା ମଧ୍ୟ ରହିଛି ।ତାଙ୍କ ଅନ୍ତଃନଳିରେ ସଂକ୍ରମଣ ଯୋଗୁଁ ଖାଦ୍ୟ ଖାଇବା ଓ ହଜମରେ ସମସ୍ୟା ହୁଏ । ସେଥିପାଇଁ କୃତ୍ରିମ ଉପାୟରେ ତାଙ୍କୁ ଖାଦ୍ୟ ଦିଆଯିବା ସହ ପାଚନ କ୍ରିୟା ହୁଏ ।

ଏପରି ଯନ୍ତ୍ରଣାମୟ ଜୀବନରୁ ବିରକ୍ତ ହୋଇସାରିଲେଣି ଲିୟା । ‘କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ଏପରି ଯନ୍ତ୍ରଣାମୟ ଜୀବନ ଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର । ଭଗବାନ୍ ଏପରି ଜୀବନ କାହାକୁ ନଦିଅନ୍ତୁ’ ବୋଲି ଦୁଃଖର ସହ କହିଛନ୍ତି ଲିୟା ।