ଅରୁଲ୍ ରାଜଙ୍କୁ ଶହେ ସଲାମ..ବାସହୀନଙ୍କୁ ଆଶ୍ରୟ ଦେବା ଲକ୍ଷ୍ୟ ନେଇ ପ୍ରତିଦିନ ନିଦରୁ ଉଠନ୍ତି ଏହି ଅଟୋ ଚାଳକ…ଏ ପର୍ଯ୍ୟନ୍ତ ୩୨୦ଜଣଙ୍କୁ କରି ସାରିଛନ୍ତି ସାହାଯ୍ୟ

79

କନକ ବ୍ୟୁରୋ: ଆଜିକାଲି ଲୋକଙ୍କୁ ନିଜ ବିଷୟରେ ଭାବିବାକୁ ସମୟ ନଥିବା ବେଳେ ଚେନ୍ନାଇର ଜଣେ ଅଟୋ ଚାଳକ କରୁଥିବା କାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବାସହୀନକୁ ଆଶ୍ରୟ ଦେବାର ଲକ୍ଷ ଆଜି ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଦୀର୍ଘ ଦୁଇ ବର୍ଷ ମଧ୍ୟରେ ସେ ପ୍ରାୟ ୩୨୦ ବାସହୀନଙ୍କୁ ରହିବା ପାଇଁ ଘର ଦେଇ ସାରିଛନ୍ତି । ଆଜି ଆମେ ଯାହା ବିଷୟରେ କହୁଛୁ, ସେ ହେଉଛନ୍ତି ଚେନ୍ନାଇର ଡି ଅରୁଲ ରାଜ୍‌ । ପ୍ରତିଦିନ ସକାଳୁ ସେ ବାସହୀନକୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ଶଯ୍ୟତ୍ୟାଗ କରିଥାଆନ୍ତି । ସକାଳ ଓ ସଂନ୍ଧ୍ୟା ସମୟରେ ୪-୪ଘଣ୍ଟା ଅଟୋ ଚଳାଇ ଟଙ୍କା ଆୟ କରିବା ପରେ ବାକି ସମୟ ସେ ବାସହୀନଙ୍କୁ ଖୋଜିବାରେ ଲଗାଇଥାନ୍ତି । ଦୁଇ ବର୍ଷ ତଳେ ସେ କରୁଣାଇ ଉଲ୍ଲନଙ୍ଗଲ ନାମକ ଏକ ଟ୍ରଷ୍ଟ ଖୋଲିଥିଲେ । ଯାହା ଜରିଆରେ ସେ ଏ ପର୍ଯ୍ୟନ୍ତ ପ୍ରାୟ ୩୨୦ଜଣ ଲୋକଙ୍କୁ ରହିବା ପାଇଁ ଘର ଯୋଗାଇ ସାରିଛନ୍ତି ।

ଅରୁଲଙ୍କ କହିବା ଅନୁଯାୟୀ, ମୁଁ ବିବାହିତ ଓ ମୋର ଦୁଇଟି ସନ୍ତାନ ଅଛନ୍ତି । ୨୦୧୫ ପର୍ଯ୍ୟନ୍ତ ମୋର ସମାଜସେବା କରିବାର କୌଣସି ଇଚ୍ଛା ନଥିଲା । ସେହି ବର୍ଷ ହୋଇଥିବା ବନ୍ୟାରେ ମୋ ପତ୍ନୀଙ୍କ ଜଣେ ବନ୍ଧୁ ତାଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ । ସାଇଦାପେଟ୍‌ରେ ହୋଇଥିବା ବନ୍ୟା ପାଇଁ ତାଙ୍କୁ ଖାଇବାକୁ ମିଳୁ ନଥିବା ସହ ସେ ଖାଇବା ଆଣି ଆସିବାକୁ ମୋ ପତ୍ନୀଙ୍କୁ ଅନୁରୋଧ କରିଥିଲେ । ମୁଁ ଖାଇବା ନେଇ ପହଞ୍ଚିବା ପରେ ସେଠାରେ ତାଙ୍କ ଭଳି ଶହ ଶହ ଲୋକଙ୍କୁ ସାହାଯ୍ୟ ଦରକାର ଥିବା ମୁଁ ଦେଖିଥିଲି । ପରେ ମୁଁ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲି ।

ଏହି ଘଟଣା ପରେ ଜଣେ ମଣିଷ ଆଉ ଜଣେ ମଣିଷକୁ ସାହାଯ୍ୟ କରିବା ଦରକାର ବୋଲି ମୁଁ ଭାବିଥିଲି । ଯାହା ପରେ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ଫେସ୍‌ବୁକ୍‌ ଓ ହ୍ଵାଟ୍‌ସଆପ୍‌ରେ ତିଆରି ହୋଇଥିବା ମକ୍କଲ କୁ ଉଧବଲମ ଗ୍ରୁପ୍‌ରେ ମୁଁ ସାମିଲ ହୋଇଥିଲି । ପ୍ରଥମେ ମୁଁ ବ୍ୟାଙ୍କରେ ଟଙ୍କା ସଂଗ୍ରହ ବିଭାଗରେ କାମ କରୁଥିଲେ ମଧ୍ୟ ଅଧାରୁ ଅଧିକ ସମୟ ମୁଁ ସମାଜ ସେବାରେ ଦେଉଥିବାରୁ ୨୦୧୬ରେ ସେମାନେ ମୋତେ ଚାକିରିରୁ ବାହାର କରି ଦେଇଥିଲେ । ଚାକିରି ଚାଲିଯିବା ପରେ ୬ମାସ ପର୍ଯ୍ୟନ୍ତ ମୁଁ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଥିଲି । କିନ୍ତୁ ୬ମାସ ପରେ ମକ୍କଲ କୁ ଉଧବଲମ ଗ୍ରୁପ୍‌ ଆଡ୍‌ମିନ୍‌ ଏହାକୁ ହଟାଇବାକୁ ଭାବିବାରୁ ମୁଁ ଏହାକୁ ସମ୍ଭାଳିବାକୁ ନିଷ୍ପତ୍ତି ନେବା ସହ ଏହାର ନାଁ କରୁଣାଇ ଉଲ୍ଲନଙ୍ଗଲ ରଖିଥିଲି ।

୨୦୧୬ର ଶେଷ ଆଡ଼କୁ କୌଣସି କାମରେ ମୁଁ ବାହାରକୁ ଯାଉଥିବା ବେଳେ ଜଣେ ବୃଦ୍ଧା ରାସ୍ତା କଡ଼ରେ ବସିଥିଲେ । କାରଣ ପଚାରିବାରୁ ସେ ମୋତେ ଆଶ୍ରୟସ୍ଥଳରେ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ । ସେହି ଦିନ ମୁଁ ଏକ ଘରର ଗୁରୁତ୍ୱ ବୁଝିଥିଲି । ଯାହାପରଠାରୁ ମୁଁ ବାସହୀନ ଲୋକଙ୍କୁ ଖୋଜି ତାଙ୍କୁ ଆଶ୍ରୟସ୍ଥଳରେ ଛାଡ଼ିବାର କାମ ଆରମ୍ଭ କରିଥିଲି ବୋଲି କହିଛନ୍ତି ଅରୁଲ ।

ପ୍ରଥମେ ମୁଁ ମୋର କିଛି ସହକର୍ମୀଙ୍କ ସହ ବାଇକ୍‌ ଯୋଗେ ଏହି କାମ ଆରମ୍ଭ କରିଥିଲି ।  ଚାକିରି ନଥିବାରୁ ମୁଁ ମୋ ସହ କାମ କରୁଥିବା ପିଲାଙ୍କୁ ଟଙ୍କା ଦେଇ ପାରୁ ନଥିଲି । ଯାହା ପାଇଁ ସେମାନେ ମୋତେ ସାହାଯ୍ୟ କରିବା ବନ୍ଦ କରିଦେଲେ । ୨୦୧୭ରେ ମୁଁ ମୋ କାମକୁ ଆଗେଇ ନେବା ପାଇଁ ମୋର ଜଣେ ଭଲ ବନ୍ଧୁଙ୍କଠାରୁ ୯୦,୦୦୦ଟଙ୍କା ନେଇ ଅଟୋ କିଣିଥିଲି । ସେହି ଦିନଠାରୁ ମୁଁ ଅଟୋ ଚଳାଇବା ସହ ସମାଜାସେବା ମଧ୍ୟ କରି ଆସୁଛି ।

Comments are closed.