ଏଥର ମାଟ୍ରିକ୍ ପରୀକ୍ଷାରେ ବଦଳିପାରେ ଶହେ ନମ୍ବରର ପରୀକ୍ଷା ବ୍ୟବସ୍ଥା । ୮୦ ନମ୍ବରରେ ପିଲାଙ୍କ ପାଇଁ ହୋଇପାରେ ପରୀକ୍ଷା

999

କନକ ବ୍ୟୁରୋ : କୋଭିଡ୍ କଟକଣା ଭିତରେ ନିୟମିତ ସ୍କୁଲ ପାଠପଢା ବନ୍ଦ ଥିବା ବେଳେ ଏଭଳି ଏକ ନିଷ୍ପତି ନେଇ ପାରେ ମାଧ୍ୟମିକ ଶିକ୍ଷା ବୋର୍ଡ । ଚଳିତ ଶିକ୍ଷା ବର୍ଷ ପଛାଇ ଯାଇଥିବାରୁ ଏଥର ମାଟ୍ରିକ ପରୀକ୍ଷା କିଭଳି କରାଯିବ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । ତେବେ ଚଳିତ ବର୍ଷ କମ୍ ମାର୍କରେ ପରୀକ୍ଷା ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି । ପ୍ରତିବିଷୟ ୧୦୦ ନମ୍ବର ବଦଳରେ ୮୦ ନମ୍ବରରେ ହେବ ବୋଲି ସୂଚନା ମିଳିଛି । ଏଥିରେ ବିଷୟଭିତିକ ପ୍ରଶ୍ନ ଅଧିକ ରହିବ ବୋଲି କୁହାଯାଉଛି ।

କୋଭିଡ୍ କଟକଣା ଯୋଗୁଁ ଅନ୍ଲାଇନ୍ ପାଠ ପଢା ହେଉଥିବାରୁ ଏହା ସାଧାରଣ ପିଲାଙ୍କ ପାଠ ପଢାକୁ ପ୍ରଭାବିତ କରିଛି । ତେଣୁ ପୂର୍ବରୁ ବୋର୍ଡ ସିଲାବସ୍ରେ ୩୦ ପ୍ରତିଶତ ପାଠ କମାଇଥିଲା । ଏହା ଆଧାରରେ ପ୍ରତିବିଷୟର ନମ୍ବର କମ୍ କରାଯିବ ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଅତିକମ୍ରେ ୧୦୦ ଦିନର ପାଠପଢା ହେବ ଏବଂ ତାହା ପରେ ପରୀକ୍ଷା କରାଯିବା ନେଇ ସଂକେତ ଦେଇଥିଲେ ।

ମାଟ୍ରିକ ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ଅଳ୍ପ ସମୟରେ ଏହାକୁ ଶେଷ କରିବାକୁ ବୋର୍ଡ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି । ତେବେ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଏନେଇ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବ ବୋଲି ଜଣାପଡିଛି ।