ରାଜ୍ୟରେ ଏଥର ଅଂଶୁଘାତ ମୃତ୍ୟୁସଂଖ୍ୟା ୪୧ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

121

କନକ ବ୍ୟୁରୋ: ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ରାଜ୍ୟରେ ୪୧ଜଣଙ୍କ ଅଂଶୁଘାତରେ ହେଇଛି ମୃତ୍ୟୁ । ତେବେ ୭୩ ଜଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଛି । କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ୍ ନକରି ନେଇ ଯାଇଛନ୍ତି । ଗତକାଲି ୧୬ଟି ଅଂଶୁଘାତ ମାମଲା ଆସିଥିଲା । ଚଳିତ ବର୍ଷ ଏଯାଏଁ ୨୨୬୯ଟି ଅଂଶୁଘାତ ରୋଗୀ ଚିକିତ୍ସା ପାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶାନାମା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ । ଏହାସହ ଏହି ସମୟ ମଧ୍ୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ହାଲୁକା, ଧଳା ଓ ସୂତା ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି । ବାହାରକୁ ବାହାରିବା ସମୟରେ ମୁଣ୍ଡକୁ ଘୋଡ଼ାଇ ରଖିବା, ଓଦା କପଡ଼ା, ଛତା ଓ ଟୋପି ପିନ୍ଧିବାକୁ ପରାମର୍ଶ । ପ୍ରଚୁର ପାଣି, ଓଆରଏସ, ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ଓ ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।