କନକ ବ୍ୟୁରୋ : ଚଳିତ ବର୍ଷ ଫିକା ପଡିବ ଦଶହରା । କରୋନା କାଳରେ ବଦଳିଛି ପରମ୍ପରା । କଟକର ରାବଣ ପୋଡ଼ି ଉତ୍ସବ ବି ଭିନ୍ନ ଢଙ୍ଗରେ ଆୟୋଜନ ହେବାକୁ ଯାଉଛି । ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯିବ । କିନ୍ତୁ ବିନା ଦର୍ଶକରେ ସମସ୍ତ କାର୍ଯ୍ୟକ୍ରମ ହେବ । ଦର୍ଶକମାନେ ସବୁ କାର୍ଯ୍ୟକ୍ରମକୁ ଅନ୍‌ଲାଇନରେ ଦେଖିବାକୁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି । ବାରବାଟୀ ସର୍ବଧର୍ମ ସା˚ସ୍କୃତିକ ପରିଷଦ ନାମରେ ଏକ ଫେସ୍‌ବୁକ ପେଜ୍‌ ଓ ୟୁଟ୍ୟୁବ ପେଜ୍‌ ଖୋଲାଯାଇଥିଲା ବେଳେ ସେଥିରେ ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Advertisment

ପରିଷଦର ଆବାହକ ଆଶୀର୍ବାଦ ବେହେରାଙ୍କ ସୂଚନା ଅନୁଯାୟୀ, ଏଥର ବଡ଼ ଆକାରରେ ଏହି ଉତ୍ସବ ପାଳନ କରିବା ଅସମ୍ଭବ ହୋଇ ପଡ଼ିଛି । ପୂର୍ବ ବର୍ଷମାନଙ୍କରେ ତଳ ବାଲିଯାତ୍ରା ପଡ଼ିଆରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ହେଲେ ଏଥର ସ˚କ୍ରମଣଜନିତ କାରଣ ଯୋଗୁଁ ସରକାରଙ୍କ କୋଭିଡ୍‌ କଟକଣାକୁ ମାନି ବିନା ଦର୍ଶକରେ ପରମ୍ପରା ବଜାୟ ରଖିବାକୁ ଯୋଜନା କରାଯାଇଛି । ସ˚ଧ୍ୟା ୮ଟାରୁ ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ।

ସେଥିରେ ପାରମ୍ପରିକ ନୃତ୍ୟ ସହ ଆତସବାଜି ଓ ରାବଣପୋଡ଼ି କାର୍ଯ୍ୟକ୍ରମ କରାଯିବ । ପୂର୍ବ ବର୍ଷ ତୁଳନାରେ ଏଥର ଖର୍ଚ୍ଚକୁ ମଧ୍ୟ ଅନେକ ମାତ୍ରାରେ ହ୍ରାସ କରାଯାଇଛି । ଯେଉଁଠାରେ ୫ଲକ୍ଷ ଖର୍ଚ୍ଚ ହେଉଥିଲା, ସେଠାରେ ପାଖାପାଖି ୫୦ ହଜାର ଟଙ୍କାରେ ପରମ୍ପରା ରକ୍ଷା କରିବାକୁ ପ୍ରୟାସ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି ।