କନକ ବ୍ୟୁରୋ: ଦଳରୁ ଟିକେଟ୍ କଟିଲା, କିନ୍ତୁ କାଟତି କମିନି । ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ପାଇନଥିବା ସତ୍ତେ୍ୱ, ଦଳ ସାମିଲ କରିଛି ଷ୍ଟାର ପ୍ରଚାରକ ତାଲିକାରେ । ମଙ୍ଗଳବାର ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ସାମିଲ ଅଛନ୍ତି ସାଂସଦ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଦୁଇ ନେତାଙ୍କୁ ଏଥର ଟିକେଟ୍ ଦେଇନି ଦଳ । ହେଲେ କିନ୍ତୁ ଦଳ ନିଜର ଷ୍ଟାର ପ୍ରଚାରକ ତାଲିକାରେ ଏହି ଦୁଇ ସାଂସଦଙ୍କୁ ସାମିଲ କରିଛି ।

Advertisment

କଳାହାଣ୍ଡିରୁ ସାଂସଦ ଥିବା ବସନ୍ତ ପଣ୍ଡାଙ୍କୁ ଏଥର ଟିକେଟ୍ ଦେଇନି ବିଜେପି । ତାଙ୍କ ସ୍ଥାନରେ ଦଳ ମାଳବିକା କେଶରୀ ଦେଓଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏଥର ନୂଆପଡା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ଆଉ ତାଙ୍କୁ ପ୍ରଚାର ମୈଦାନରେ ବସନ୍ତ ମଧ୍ୟ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ତେଣୁ ଦଳରୁ ଟିକେଟ୍ କଟିଥିଲେ ବି, କାଟତି କିନ୍ତୁ କମିନି ।publive-imageସେହିପରି ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇନଥିଲେ ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ତାଙ୍କ ବଦଳରେ ଏଥର ମୟୂରଭଞ୍ଜରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ନବଚରଣ ମାଝୀ । ଖାଲି ସେତିକି ନୁହେଁ, ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ଭିତରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଯେଉଁମାନେ କି ଖୁବଶୀଘ୍ର ଓଡିଶା ଆସି ଦଳ ପାଇଁ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମୋହନ ଯାଦବ, ହିମନ୍ତ ବିଶ୍ୱଶର୍ମା ଏବଂ ବିଷ୍ଣୁଦେବ ସାଏଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ସ୍ମୃତି ଇରାନୀ, ଜ୍ୟୋତିରାଦିତ୍ୟ ସିନ୍ଧିୟା ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ଏହାବାଦ୍ ରାଜ୍ୟ ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ବିଜୟପାଲ ସିଂହ ତୋରାମ, ସହ ପ୍ରଭାରୀ ଲତା ଉସେଣ୍ଡି, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ଏହାସହ ନିକଟରେ ବିଜେପିରେ ମିଶିଥିବା ଅଭିନେତା ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ।