ଡିଜିିଟାଲ ଯୁଗରେ ହାତଲେଖା ପେପରର କାହାଣୀ । ସକାଳ ହେଲେ ନିଜ ହାତରେ ଖବରକାଗଜ ଲେଖି ମାଗଣାରେ ବାଣ୍ଟନ୍ତି । ସନ୍ଧ୍ୟାହେଲେ ଆଇସକ୍ରିମ୍ ବିକ୍ରି କରି ଜୀବନ ଜିଅଁନ୍ତି ଏ ସାମ୍ବାଦିକ…

342

କନକ ବ୍ୟୁରୋ : ମନ ଜିଣୁଛି ହାତଲେଖା ଖବରକାଗଜ । ନିଜ ହାତରେ ଖବର ଲେଖନ୍ତି ଦିନେଶ । ଆଜିର ଏହି ଡିଜିଟାଲ ଯୁଗରେ, ଏକ ହାତ ଲେଖା ଖବରକାଗଜ, ଆମ ପାଇଁ ପୁରୁଣା ମନେ ହୁଏ । କିନ୍ତୁ ମୁଜାଫରନଗର ଜିଲ୍ଲାର ଏକ ପ୍ରାନ୍ତରେ ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ‘ବିଦ୍ୟାଦର୍ଶନ’ ଖବରକାଗଜର ମାଲିକ ତଥା ସମ୍ପାଦକ ଦିନେଶଙ୍କର କୌଣସି ପ୍ରିଣ୍ଟିଂ ପ୍ରେସ୍ ନାହିଁ । ନା ତାଙ୍କ ପାଖରେ ଟାଇପ୍ ରାଇଟର ଅଛି, ନା କୌଣସି କର୍ମଚାରୀ । ସେ ନିଜେ ଆର୍ଟ ପେପର ସିଟ୍ ଉପରେ ଖବର ଲେଖନ୍ତିଏବଂ ଚିତ୍ର କରନ୍ତି । ଖବରକାଗଜ ଲେଖିବା ପରେ ସେ ଏହାକୁ ଫଟୋଗ୍ରାଫି କରି ତାପରେ ସହରର ବିଭିନ୍ନ ସ୍ଥାନକୁ ନେଇ ଏହାକୁ କାନ୍ଥରେ ଲଗାଇଥାନ୍ତି ।

ଦୀନେଶଙ୍କ ବୟସ ୫୦ ବର୍ଷ ଅଟେ । ତାଙ୍କ କହିବା କଥା, ଗତ ୧୭ ବର୍ଷ ଧରି ସେ ତାଙ୍କର ନିଜସ୍ୱ ଖବରକାଗଜ ଲେଖୁଛନ୍ତି । ପ୍ରତିଦିନ ତାଙ୍କୁ ଖବର ଲେଖିବାକୁ, ପ୍ରାୟ ୩ ଘଂଟା ସମୟ ଲାଗେ । ଦିନେଶଙ୍କର ଏକ ପୁରୁଣା ସାଇକେଲଟିଏ ଅଛି । ଅତ୍ୟନ୍ତ ଦୁଃଖକଷ୍ଟରେ ଦିନ କାଟନ୍ତି ଦିନେଶ । ଏପରିକି ପ୍ରତିଦିନ ବଦଳାଇବା ପାଇଁ ତାଙ୍କ ପାଖରେ ପୋଷାକ ମଧ୍ୟ ନାହିଁ ।

ଦିନେଶ କହନ୍ତି, ଲୋକେ ତାଙ୍କ ଖବରକାଗଜ ପଢିବାକୁ ବେଶ ପସନ୍ଦ କରନ୍ତି, କାରଣ ସେ ସ୍ଥାନୀୟ ମୁଦ୍ଦା ଏବଂ ଘଟଣାକୁ ନିଜ ଖବରକାଗଜରେ ସ୍ଥାନ ଦିଅନ୍ତି । ତେବେ ଖବରକାଗଜରୁ ସେ କୌଣସି ରୋଜଗାର କରନ୍ତି ନାହିଁ । ଆଉ ସେଥିପାଇଁ ଜୀବନ ଜିଇଁବାକୁ ସନ୍ଧ୍ୟାବେଳେ ସେ ଆଇସକ୍ରିମ୍ ବିକ୍ରି କରନ୍ତି ।

ନା ତାଙ୍କୁ କୌଣସି ବିଜ୍ଞାପନ ମିଳେ, ନା କୌଣସି ସରକାରୀ ପ୍ରୋତ୍ସାହନ । ବିନା ସ୍ୱାର୍ଥରେ ପ୍ରତିଦିନ ସକାଳୁ ନିଜ ହାତରେ ସବୁ ଖବର ଲେଖିଦିଅନ୍ତି ଦିନେଶ । ରାଜନୀତି ଖବର ନୁହେଁ ସାମାଜିକ ପ୍ରସଙ୍ଗକୁ ଗୁରୁତ୍ୱ ଦିଅନ୍ତି ଦିନେଶ । ଆଉ ସେଥିପାଇଁ ଯିଏ ବି ତାଙ୍କ ଖବରକାଗଜ ପଢନ୍ତି, ବାସ୍ତବରେ ଜିଲ୍ଲାରେ କଣ ଘଟୁଛି, ତାହା ଜାଣିବାକୁ ପାଆନ୍ତି ।

ବୟସ ସିନା ଆସି ଅପରାହ୍ନରେ ପାଦ ଦେଲାଣି । କିନ୍ତୁ ସେ ଥକିପଡିନାହାନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୧୭ ବର୍ଷ ହେଲାଣି, ସେ ଏମିତି ନିଜ ହାତରେ ଖବର ଲେଖିଚାଲିଛନ୍ତି । ନା କୌ ଣସି ସ୍ୱାର୍ଥ ଅଛି, ନା ଏଥିରୁ ସେ ଟଙ୍କାଟେ ରୋଜଗାର କରନ୍ତି । ହାତରୁ ପଇସା ଖର୍ଚ୍ଚ କରି ସେ ନିଜର ଖବରକାଗଜ ଲେଖିଚାଲିଛନ୍ତି । ଯେଉଁଥିପାଇଁ ସମସ୍ତେ ଦିଲରୁ ଦିନେଶଙ୍କୁ ପ୍ରଂଶସା କରୁଛନ୍ତି ।