ଭିତରୁ ଏମିତି ଦିଶୁଛି ନୂଆ ସଂସଦ ଭବନ… ଫଟୋରେ ଦେଖନ୍ତୁ ପାର୍ଲାମେଣ୍ଟ ଭବନର ଚିତ୍ର

209

କନକ ବ୍ୟୁରୋ: ସାମ୍ନାକୁ ଆସିଛି ନୂଆ ପାର୍ଲାମେଣ୍ଟ ଭବନର ପ୍ରଥମ ଚିତ୍ର । ଏହାର ଭିତରର ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଛି । ଡ୍ରୋନ କ୍ୟାମେରାରେ ଏହାର ଭିତର ଓ ବିଲ୍ଡିଂ ଉପରର ଚିତ୍ର ଉତ୍ତଳନ କରାଯାଇଛି । ଏହା ଭିତରେ ଅନେକ ସୁବିଧା କରାଯାଇଛି । ନୂଆ ବିଲ୍ଡିଂରେ ବଡ ହଲ, ସହ ପାର୍କିଂ ଓ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି ।

   

ନୂଆ ସଂସଦ ଭବନ ୬୪ ହଜାର ୫୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହୋଇଛି । ୪ ମହଲା ବିଶିଷ୍ଟ ଏହି ପାର୍ଲାମେଣ୍ଟ କୋଠାରେ ୧୨୨୪ ଜଣ ସାଂସଦ ବସିବାର ସୁବିଧା ରହିଛି । ଲୋକସଭାର ୮୮୮ ଓ ରାଜ୍ୟସଭାର ୩୮୪ ସାଂସଦ ଏଠାରେ ବସିପାରିବେ । ୧ ଅକ୍ଟୋବର ୨୦୨୦ରେ ସଂସଦର କାମ ଆରମ୍ଭ ହୋଇଥିଲା । ଆଉ ଆଜକୁ ଠିକ ୨ ବର୍ଷ ୭ ମାସ ପୂରଣ ହୋଇଛି । ଅର୍ଥାତ ୩ ବର୍ଷ ଭିତରେ ସଂସଦ ଭବନ ତିଆରି ହୋଇଛି । ନୂଆ ସଂସଦ ଭବନ ତିଆରିରେ ପ୍ରାୟ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ମେ’ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ୧୨ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଅର୍ଥାତ୍ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ଆରମ୍ଭ ହେବ । ପୂଜା ପାଇଁ ଗାନ୍ଧୀ ମୂର୍ତି ପାଖରେ ପେଣ୍ଡାଲ ହେବ । ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ କିଛି ମନ୍ତ୍ରୀ ଉପସ୍ଥିତ ରହିବେ ।

ସକାଳ ୭.୩୦ରୁ ୮.୩୦ ଯାଏ ହେବ ପୂଜା ଓ ଯଜ୍ଞ ହେବାର କାର୍ୟ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି । ଏହା ପରେ ସାଢ଼େ ୮ଟାରୁ ୯ଟା ଯାଏଁ ଲୋକସଭା କକ୍ଷ ଭିତରେ ସେନଗୋଲ ସ୍ଥାପନା କରାଯିବ । ସକାଳ ସାଢ଼େ ୯ଟା ବେଳେ ପ୍ରାର୍ଥନା ସଭା ଆୟୋଜିତ ହେବ । ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ୟ୍ୟଙ୍କ ସମେତ ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ଏବଂ ସାନ୍ଧୁସନ୍ଥ ଉପସ୍ଥିତ ରହିବେ ।