ବର୍ଷା ହେଲେ ଏମିତି ହୁଏ ଅଷ୍ଟ୍ରେଲିଆର ସ୍ଥିତି: ବନ୍ୟାରେ ବୁଡିଲା ସବୁଠୁ ବଡ ସହର ସିଡନୀ

231

କନକ ବ୍ୟୁରୋ: ଅଷ୍ଟ୍ରେଲିଆକୁ ଘାରିଛି ବନ୍ୟା ସଂକଟ । ଭୟଙ୍କର ବର୍ଷା କାରଣରୁ ସିଡନିରେ ଭିଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବରେ ହଜାର ହଜାର ଲୋକ ନିଜର ବାସ ଛାଡିବାକୁ ପ୍ରସ୍ତୁତ ହେଉଥିବାବେଳେ ଗାଡି ଗଛ ପାଣିଘେରରେ ରହିଛି ।

ଅଷ୍ଟ୍ରେଲିଆର ସର୍ବ ବୃହତ ସହର ସିଡନୀରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା । ଯେଉଁଠି ଦେଖିବ ସେଠି କେବଳ ପାଣି ହିଁ ପାଣି । କେଉଁଠି ରାସ୍ତା ଉପରେ ବର୍ଷା ପାଣି ଲହଡି ମାରୁଛି ତ ପୁଣି କେଉଁଠି ଘର ଭିତରେ କଲବଲ ହେଉଛି ଜନଜୀବନ । କେବଳ ଘର ଦ୍ୱାର ନୁହେଁ ଜଙ୍ଗଲ ମଧ୍ୟ ରହିଛି ବଷା ପାଣି ଘେରରେ ଭିତରେ ରହିଛି । ଲୋକମାନଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କାଯ୍ୟ ଜାରି ରହିଛି । ଅଧିକାଂଶ ନଦୀର ଜଳସ୍ତର ବଢିବାରେ ଲାଗିଛି । ପାଣିପାଗ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଂଟା ମଧ୍ୟରେ ସିଡନିର ଉତର ଓ ଦକ୍ଷୀଣ ଅଂଚଳରେ ଏକ ମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବନ୍ୟାରେ ୩୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆଗାମୀ ୧୨ ଘଂଟା ମଧ୍ୟରେ ବନ୍ୟା ଆହୁରି ଭୀଷଣ ରୂପ ନେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଲୋକଙ୍କୁ ବନ୍ୟା କବଳରୁ ରକ୍ଷା ପାଇବା ପାଇଁ ଘର ଖାଲି କରିବାକୁ କୁହାଯାଇଛି ।

ବନ୍ୟା ସଙ୍କଟ ଭିତରେ ଯୁଦ୍ଧକାଳୀନି ଭିତିରେ ଚାଲିଛି ଉଦ୍ଧାରକାଯ୍ୟ । ପ୍ରାୟ ୩୦ହଜାରରୁ ଅଧିକ ଲୋକ ଘର ଦ୍ୱାରା ଛାଡି ଚାଲିଯାଇଥିବାବେଳେ ଶହ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି ।ଦେଢ ବର୍ଷ ଭିତରେ ୪ର୍ଥ ଥର ପାଇଁ ବଡ ବନ୍ୟା ସଙ୍କଟ ଦେଇ ଗତି କରୁଛି ସିଡନୀ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଅଷ୍ଟ୍ରେଲିଆରେ ବାରମ୍ବାର ଜଳବାୟୁ ପରିବର୍ତନ ହେଉଛି । ତେଣୁ ବାରମ୍ବାର ବନ୍ୟା ପରିସ୍ଥିତିକୁ ଏହା ତ୍ରୀବ କରୁଛି । ଗତ ସପ୍ତାହରୁ ସିଡନୀରେ ୩୦୦ ମିଲିମିଟର ବର୍ଷା ହୋଇଛି । ରବିବାର ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ମୂଖ୍ୟ ବନ୍ଧ ଭାଙ୍ଗିବା ବନ୍ୟା ସଙ୍କଟକୁ ଦ୍ୱିଗୁଣ କରିଛି । ଆଗାମୀ ୨୪ ଘଂଟାମଧ୍ୟରେ ୧୦୦ ମିଲିମିଟର ବର୍ଷା ହୋଇପାରେ ବୋଲି ପୂର୍ବନୁମାନ କରିଛି ଅଷ୍ଟ୍ରେଲିଆର ପାଣିପାଗ ବିଭାଗ । ସୋମବାରଠୁ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତି ବିଗିଡିବା ଆଶଙ୍କା ରହିଛି ।

ଗତ ମାର୍ଚ ମାସରେ ହୋଇଥିବା ବନ୍ୟାରେ ୨୦ ଜଣଙ୍କ ଜୀବନ ଯାଇଥିଲା । ଦେଢ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ବନ୍ୟା ପରିସ୍ଥିତି ସାମନା କରିବାକୁ ପଡିଛି ।