କଏଦୀକୁ ମିଳିଲା ଜେଲ ପ୍ରଭାରୀ ପଦ, ଅନେକ ବର୍ଷ ଧରି ଜେଲରେ ଥିଲେ ବନ୍ଦୀ

140

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନୀମାନେ ଦଖଲ କରିବା ପରେ ଏବେ ସେଠାରେ ସେମାନଙ୍କ ଅସଲି ଚରିତ୍ର ପ୍ରତିଦିନ ଦେଖାଇବାରେ ଲାଗିଛନ୍ତି । ଏବେ ତାଲିବାନ ସରକାର ଆଫଗାନ ଜେଲରେ ବନ୍ଦୀ ଥିବା ଜଣେ କଏଦୀଙ୍କୁ ଜେଲ ପ୍ରଭାରୀ ପଦରେ ନିଯୁକ୍ତ ଦେଖାଇ ଦେଇଛି ଯେ ସେମାନଙ୍କ ସରକାରରେ ଆଇନ ବ୍ୟବସ୍ଥା ଆଗକୁ କିଭଳି ହେବାକୁ ଯାଉଛି ।

କହିରଖୁ କି କାବୁଲ ପୂର୍ବକ୍ଷେତ୍ରରେ ଥିବା ‘ପୁଲ-ଏ-ଚରଖୀ’ ଜେଲରେ ପୁରା କଏଦୀମାନେ ଭର୍ତ୍ତି ଥିଲେ । ହେଲେ ଏବେ ଏହି ଜେଲରେ ମାତ୍ର ହାତଗଣତି କେଇଜଣ ବନ୍ଦୀ ରହିଛନ୍ତି । ତାଲିବାନୀମାନେ କାବୁଲ ଦଖଲ କରିବା ପରେ ସବୁ କଏଦୀମାନଙ୍କୁ ଜେଲରୁ ମୁକୁଳାଇ ଦେଇଛନ୍ତି । ସବୁଠାରୁ ବଡକଥା ପୂର୍ବ କୁନାର ଅଞ୍ଚଳରୁ ଯେଉଁ ତାଲିବାନୀ ଆତଙ୍କବାଦୀକୁ ଆଫଗାନିସ୍ତାନ ପୋଲିସ ଧରି ଜେଲରେ ଭର୍ତ୍ତି କରିଥିଲେ, ସେହି ଆତଙ୍କବାଦୀକୁ ଏବେ ତାଲିବାନ ସେହି ଜେଲର ପ୍ରଭାରୀ ଭାବେ ନିଯୁକ୍ତ କରିଛି ।

ଜେଲର ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଉକ୍ତ ତାଲିବାନ ଆତଙ୍କବାଦୀ ଜଣଙ୍କ କହିଛନ୍ତି କି ଆଫଗାନସେନା ତାଙ୍କୁ ଏଠାକୁ ଆଖିରେ ପଟିବାନ୍ଧି ଆଣିଥିଲା । ଏବେ ତାଲିବାନ ସରକାର ଗଠନ ହେବା ପରେ ସେ ଓ ତାଙ୍କର କିଛି ସାଥୀ ଏହି ଜେଲର ଦେଖାରଖା କରୁଛନ୍ତି । ଜେଲଟି ଏବେ ଫାଙ୍କା ଫାଙ୍କା ରହିଥିଲେ ବି ଜେଲର ସ୍ଥିତି ବଦଳି ନାହିଁ । ଚାରିଆଡେ ପାଣି ବୋତଲ ସହ ଚପଲ ଓ କୁଢ କୁଢ ଅଳିଆ ପଡି ରହିଛି ।

ଜେଲର ପ୍ରଭାରୀ ହୋଇଥିବା ଆତଙ୍କବାଦୀ ଜଣଙ୍କ ନିଜ ନାମ ଗୋପନ ରଖି ନ୍ୟୁଜ ଏଜେନ୍ସି “ଆସୋସିଏଟେଡ ପ୍ରେସ” କୁ କହିଛନ୍ତି କି ତାଙ୍କର ସେ ଦିନଗୁଡିକ ଭୁଲି ହେବ ନାହିଁ । ଏଠାରେ ସେ ବିନା ଭୟରେ ବିଚରଣ କରୁଛନ୍ତି ।