କରୋନା ମୃତକଙ୍କ ପରିବାରକୁ ମିଳୁନି ୫୦ ହଜାର ଟଙ୍କା । ଆର୍ଥିକ ଅନୁଦାନ ମିଳୁନଥିବାରୁ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

87

କନକ ବ୍ୟୁରୋ : କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ରାଜ୍ୟ ମାନଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ କିଛି ରାଜ୍ୟ ମୃତକଙ୍କ ପରିବାରକୁ ଆର୍ଥିକ ଅନୁଦାନ ଦେଇନାହାନ୍ତି । ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ ସମେତ ଅନେକ ରାଜ୍ୟ ଉପରେ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ଝାଡିବା ସହିତ ଚେତାବନୀ ଦେଇଛନ୍ତି । କୋର୍ଟ ମହାରାଷ୍ଟ୍ର ସରକାର ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଏଯାବତ କୌଣସି ମୃତକଙ୍କ ପରିବାରକୁ ଆର୍ଥିକ ଅନୁଦାନ ନଦେବା ଅମାନବୀୟ ।

ଏପରି କାମ ଗ୍ରହଣୀୟ ନୁହେଁ । କେତେ ଜଣ କରୋନା ମୃତକଙ୍କ ପରିବାରକୁ ପଇସା ଦିଆଯାଇଛି ତାର ଏକ ଷ୍ଟାଟସ ରିପୋର୍ଟ ବିଭିନ୍ନ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଷ୍ଟିସ ଏମଆର ଶାହ ମହାରାଷ୍ଟ୍ର ସରକାରର ଓକିଲ ସଚିନ ପାଟିଲଙ୍କୁ କହିଛନ୍ତି, ଯେଉଁ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଏହି ରିପୋର୍ଟ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ । କୋର୍ଟକୁ ନୁହେଁ ।

ରାଜ୍ୟରେ କରୋନାରେ ୧ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି । ହେଲେ ଏଯାବତ ୩୭ ହଜାର ଆବେଦନ ଗ୍ରହଣ ହୋଇଛି । ହେଲେ କୌଣସି ଆବେଦନକାରୀଙ୍କୁ ତାଙ୍କ ପ୍ରାପ୍ୟ ମିଳିନାହିଁ । ସେହିପରି ରାଜସ୍ଥାନ ସରକାରକୁ କରୋନା ମୃତକଙ୍କ ପରିବାରକୁ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ କହିଛନ୍ତି । ରାଜସ୍ଥାନରେ ପ୍ରାୟ ୯ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । କିନ୍ତୁ ଏଯାବତ ୫୯୫ ଜଣଙ୍କ ଆବେଦନ ମିଳିଛି ।

ପଶ୍ଚିମବଙ୍ଗରେ ୧୯ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି । ୪୬୭ ଜଣଙ୍କର ଆବେଦନ ମିଳିଛି । ହେଲେ ୧୧୦ ଜଣଙ୍କୁ ଆର୍ଥିକ ଅନୁଦାନ ଦିଆଯାଇଛି । ତେବେ ଉତର ପ୍ରଦେଶରେ ୨ ହଜାରରୁ ଅଧିକ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬,୫୧୮ ଜଣଙ୍କର ଆବେଦନ ମିଳିଛି । ୯ ହଜାର ୩୭୨ ଜଣଙ୍କୁ କ୍ଷତିପୂରଣ ମିଳିଛି । ଏହି ପ୍ରସଙ୍ଗରେ ୧୦ ତାରିଖରେ ପରବର୍ତୀ ଶୁଣାଣି ହେବ ।