କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ମହାନ କ୍ରିକେଟର : ମାର୍ଚ୍ଚ ୨୦୧୪ ରେ ଆର୍ନ୍ତଜାତୀୟ କ୍ରିକେଟରେ କରିଥିଲେ ଡେବ୍ୟୁ ; ତାଙ୍କ ନିଧନ ପରେ କ୍ରିକେଟ ଜଗତରେ ଶୋକର ଛାୟା 

8,048
କନକ ବ୍ୟୁରୋ : ଆଫଗାନିସ୍ଥାନର ଓପନର ନାଜିବଲ୍ଲା ତାରାକାଇ ମଙ୍ଗଳବାରଦିନ ମୃତ୍ୟୁବରଣ କରିଛନ୍ତି । କିଛିଦିନ ପୂର୍ବରୁ ସେ ଏକ କାର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ଯୁବ କ୍ରିକେଟର ତାରକାଇ ଆଫଗାନିସ୍ଥାନର ପୂର୍ବ ନାଙ୍ଗରହର ଠାରେ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଏକ କାର ଧକ୍କା ଦେଇଥିଲା । ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ସେ କୋମାକୁ ଚାଲିଯାଇଥିଲେ । ଏନେଇ ଆଫଗାନିସ୍ଥାନ କ୍ରିକେଟ ବୋର୍ଡ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।
ଦୁର୍ଘଟଣା ପରେ ୨୯ ବର୍ଷିୟ ତାରକାଇ ଆଇସିୟୁରେ ଥିଲେ । ତାଙ୍କର ଅବସ୍ଥା ଗମ୍ଭୀର ରହିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆଫଗାନିସ୍ଥାନ କ୍ରିକେଟ ବୋର୍ଡା ତାରକାଇ ମାର୍ଚ୍ଚ ୨୦୧୪ ରେ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ଆଫଗାନିସ୍ଥାନ ପାଇଁ ୧୨ ଟି ଟି-୨୦ ଓ ଗୋଟିଏ ଏକଦିବସୀୟ ମ୍ୟାଚ୍ ଖେଳିଥିଲେ । ସେ ଟି-୨୦ ରେ ୪ ଟି ଅର୍ଦ୍ଧଶତକ କରିବା ସହ ମୋଟ ୨୫୮ ରନ୍ ସ୍କୋର କରିଥିଲେ । ସେ ମଧ୍ୟ ୨୪ ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ସେ ହାରାହାରି ୪୭.୨୦ ରେ ୨୦୩୦ ରନ୍ ସ୍କୋର କରିଥିଲେ । ଯାହା ମଧ୍ୟରେ ୬ ଟି ଶତକ ଓ ୫୦ ଟି ଅର୍ଦ୍ଧଶତକ ରହିଛି ।
୧୭ ଟି ଏ ତାଲିକା ମ୍ୟାଚରେ ତାରାକାଇ ଗୋଟିଏ ଶତକ ଓ ୩ ଟି ଅର୍ଦ୍ଧଶତକ ସହ ହାରା ହାରି ୩୨.୫୨ରେ ମୋଟ ୫୫୩ ରନ୍ ସ୍କୋର କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି । କହିରଖୁ କି ପୂର୍ବରୁ ଆଫଗାନିସ୍ଥାନରେ ଏକ ବିସ୍ଫୋରଣ ମାଧ୍ୟମରେ ଆଇସିସିର ଅମ୍ପେୟାର ବିସ୍ମିଲା ଜନ୍ ଶିନୱାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ବିସ୍ଫୋରଣରେ ପାଖା ପାଖି ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଲୋକ ଗୁରୁତର ହୋଇଥିଲେ ।