ସଲାମ୍ ଶିକ୍ଷକ ! ପିଲାଙ୍କୁ ରୋଗରୁ ବଚାଂଇବା ପାଇଁ ଦୀର୍ଘ ୩୦ ବର୍ଷ ହେଲା ଶୌଚାଳୟ ସଫା କରି ଆସୁଛନ୍ତି ପ୍ରଧାନ ଶିକ୍ଷକ ।

147

ସରକାରୀ ସ୍କୁଲରେ ଅସ୍ୱଚ୍ଛ ଶୌଚାଳୟ ରହିବା ଏକ ସାଧାରଣ କଥା । ଏଭଳି ସ୍କୁଲରେ ନା ଚତୁର୍ଥ ଶ୍ରେଣୀର କର୍ମଚାରୀ କାମ କରନ୍ତି ନା ଏଠାକାର ଶୌଚାଳୟ କେବେ କ୍ଲିନ୍ ରହିଥାଏ । ତେବେ ଅନେକ ସମୟରେ ସ୍କୁଲ୍ ପିଲାଙ୍କ ହାତରେ ଶିକ୍ଷକ ଶୌଚାଳୟ ସଫା କରିବାର ଖବର ଏବଂ ଫଟୋ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଆପଣ ଦେଖିଥିବେ । କିନ୍ତୁ ଆଜି ଆମେ ଏଭଳି ଜଣେ ଶିକ୍ଷକଙ୍କ କଥା କହିବାକୁ ଯାଉଛୁ ଯେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କର୍ଣ୍ଣାଟକର ଏକ ସରକାରୀ ସ୍କୁଲରେ ଦୀର୍ଘ ୩୦ ବର୍ଷ ହେଲା ଶୌଚାଳୟ ସଫା କରି ଆସୁଛନ୍ତି ସେଠାକାର ଜଣେ ଶିକ୍ଷକ ।

କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ଗୁଣ୍ଡଲୁପେଟରେ ରହିଛି ହୋଙ୍ଗାହଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲର ପ୍ରଧାନ ଶିକ୍ଷକ ହେଉଛନ୍ତି ବି.ମହାଦେଶ୍ୱର ସ୍ୱାମୀ । ସ୍କୁଲରେ ଅସ୍ୱଚ୍ଛ ଶୌଚାଳୟ ସମସ୍ୟାରୁ ପିଲାଙ୍କୁ ରୋଗରୁ ବଚାଂଇବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନ ନେବାରୁ ସେ ନିଜେ ଏହାର ଭାର ଉଠାଇଲେ ଏବଂ ପ୍ରତିଦିନ ସ୍କୁଲ ଶୌଚାଳୟ ସଫା କରିବାକୁ ଲାଗିଲେ । କେବଳ ଏତିକି ନୁହଁ ପିଲାଙ୍କ ଉନ୍ନତ ପାଠପଢା ପାଇଁ ସେ ସ୍କୁଲରେ ଏକ ପାଠାଗାର ମଧ୍ୟ ନିର୍ମାଣ କରାଇଛନ୍ତି । ଏହି ଲାଇବ୍ରେରୀରେ ଗୋଟିଏ ଗୋଟିଏ ବହି ସେ ନିଜ ଦରମାରୁ କିଣିଛନ୍ତି । ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ବଗିଚା ମଧ୍ୟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ପିଲାଙ୍କ ସାହାଯ୍ୟ ମଧ୍ୟ ନେବାକୁ ପଡିଛି ।

ସ୍ଥାନୀୟ ଲୋକ ଏବଂ ବିଭାଗୀୟ ଅଧିକାରୀ ପ୍ରଧାନ ଶିକ୍ଷକଙ୍କ କାମକୁ ତାରିଫ୍ ନକରି ରହିପାରୁନାହାନ୍ତି । ମହାଦେଶ୍ୱର ସ୍ୱାମୀ ନିଜ ଦିନର ଆରମ୍ଭ ସ୍କୁଲ ଶୌଚାଳୟ ସଫା କରିବାରୁ ହିଁ ଆରମ୍ଭ କରିଥାନ୍ତି । ତାଙ୍କ କହିବାନୁସାରେ ସେ ଶୌଚାଳୟ ସଫା କରିବା କାମ ୧୯୮୮ ମସିହା ଫେବୃୟାରୀ ୬ ତାରିଖରୁ ଆରମ୍ଭ କରିଥିଲେ ।