କନକ ବ୍ୟୁରୋ : ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ ହଜାର ବେକାର ଯୁବକ ଯୁବତୀମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି । କୁହାଯାଉଛି କି ଅକ୍ଟୋବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ୭୫ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ନିଯୁକ୍ତି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଦିଆଯିବ । ଯାହା ମଧ୍ୟରେ ରକ୍ଷା, ରେଳ, ଡାକ, ଗୃହ, ସିଆଇଏସଏଫ, ଶ୍ରମ, ସିବିଆଇ, କଷ୍ଟମ, ବ୍ୟାଙ୍କ, ସିଏଏଫ୍ ଭଳି ବିଭାଗ ରହିଛି ।
ଚଳିତମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ । କେବଳ ସେତିକି ନୁହେଁ ସେହିଦିନ ଧନତରାସେ ଅବସରରେ ପ୍ରଧାନମନ୍ତ୍ରୀ ୪.୫୦ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ ।
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ଗୁଜରାଟ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚଣ୍ଡୀଗଡ଼, ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ୍ ମହାରାଷ୍ଟ୍ର, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜସ୍ଥାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲ୍ନାଡୁ, ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଉତ୍ତର ପ୍ରଦେଶ, ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ବିହାରରେ ରହି ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେବେ।
ଏହାଛଡ଼ା, ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଦେଶର ବିଭିନ୍ନ ସହରରେ ଥାଇ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେବେ। ସେହି ପରି ନିଜ ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସମସ୍ତ ସାଂସଦମାନେ ମଧ୍ୟ ଉକ୍ତ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିବେ।
ଜୁନ ମାସରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ କି. ଚଳିତ ବର୍ଷ ଡିସେମ୍ବର ସୂୁଦ୍ଧା ଦେଶର ୧୦ ଲକ୍ଷ ବେକର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରାଯିବ ।
Follow Us