କେରଳରେ ଗମ୍ଭୀର ହେଉଛି କରୋନା ସ୍ଥିତି : ଦେଶର ଦୈନିକ ସଂକ୍ରମଣର ଅଧାରୁ ଅଧିକ ହେଉଛନ୍ତି ଚିହ୍ନଟ; ୧ ଉପରେ ରାଜ୍ୟର ‘ଆର’ ଭାଲ୍ୟୁ

137

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କେରଳର କରୋନା ସଂକ୍ରମଣ । ଦେଶରେ ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତିି ଅଧାରୁ ଅଧିକ ମାମଲା ଆସୁଛି କେବଳ କେରଳରୁ । ଅର୍ଥାତ୍ ୫୦ ପ୍ରତିଶତରୁ ଅଧିକ କେସ୍ ଏହି ରାଜ୍ୟରୁ ଆସୁଛି । ଏହାରି ଭିତରେ ଚିନ୍ତାର ଆଉଏକ ବିଷୟ ହେଲା ଆର ଭାଲ୍ୟୁ ବା ରିପ୍ରଡକ୍ଟିଭ ଫ୍ୟାକ୍ଟର ।

ଚେନ୍ନାଇସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକାଲ ସାଇନ୍ସର ଅଧ୍ୟୟନ ଅନୁସାରେ କେରଳରେ ଆର ଭାଲ୍ୟୁ ରହିଛି ୧ ଦଶମିକ ୧୧ । ଅର୍ଥାତ ରାଜ୍ୟରେ ୧୦୦ ଜଣ କରୋନା ଆକ୍ରାନ୍ତ ୧୧୧ ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି । ସାରାଦେଶରେ ଦ୍ୱିତୀୟ ଲହର କମିବାରେ ଲାଗିଥିବାବେଳେ କେବଳରେ ପୁଣି ସଂକ୍ରମଣ ବଢିବା ଏବଂ ଆର ଭାଲ୍ୟୁ ଅଧିକ ରହିବା ଏବେ ଚିନ୍ତାର କାରଣ । ପୂର୍ବ ସପ୍ତାହରେ ସାରାଦେଶରେ ଆର ଭାଲ୍ୟୁ ଦଶମିକ ୯୫ ପ୍ରତିଶତ ଥିଲା । ଅର୍ଥାତ ୧୦୦ ଜଣ ଆକ୍ରାନ୍ତ ୯୫ ଜଣଙ୍କୁ ସଂକ୍ରମିତ କରିପାରନ୍ତି । ହେଲେ କେରଳରେ ଏହା ଜାତୀୟ ହାରଠାରୁ ଅଧିକ ରହିଛି ।

ପୁଣେ ଓ ଦିଲ୍ଲୀ ସହରରେ ମଧ୍ୟ ଆର ଭାଲ୍ୟୁ ୧ ପାଖାପାଖି ରହିଛି । ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ଧିରେଧିରେ ଆର ଭାଲ୍ୟୁ ୧ରୁ ସାମାନ୍ୟ ଅଧିକ ରହୁଥିବା ଦେଖାଯାଉଛି । ଦେଶରେ ଦ୍ୱିତୀୟ ଲହର ଏହାର ଶୀର୍ଷକୁ ଛୁଇଁବା ପରେ ଆର ଭାଲ୍ୟୁ କମିଯାଇଥିବାବେଳେ ଏବେ ପୁଣି ବଢିବା ତୃତୀୟ ଲହରର ସଂକେତ ଦେଉଥିବା ଏହି ଗାଣିତିକ ମଡେଲରୁ ଆଶଙ୍କା କରାଯାଉଛି ।