ପ୍ରଦୂଷଣ ନରୋକିଲେ ହେବ ଭୟଙ୍କର ପରିସ୍ଥିତି: ସମୁଦ୍ରରେ ବୁଡିଯାଇପାରେ ଏହି ସବୁ ସହର

229

କନକ ବ୍ୟୁରୋ: ୨୦୫୦ ମସିହା ସୁଦ୍ଧା ଓଡିଶାର ଉପକୂଳବର୍ତୀ ଜିଲ୍ଲା ସମୁଦ୍ରରେ ବୁଡିଯାଇପାରେ । ବିଶ୍ୱ ପାଣିପାଗ ପରିବର୍ତନ ଉପରେ ପ୍ରକାଶ ପାଇଥିବା ଏକ ଅନ୍ତର୍ଜାତୀୟ ରିପୋର୍ଟରୁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭାରତ ସମେତ ୭ଟି ଦେଶର ଉପକୂଳବର୍ତୀ ସହର ସବୁ ସମୁଦ୍ରରେ ଲୀନ ହୋଇଯିବା ନେଇ ପୂର୍ବାନୁମାନ କରାଯାଇଛି । ଆଉ ଏଥିରେ ଓଡିଶାର ପୁରୀ, ପାରାଦୀପ ଭଳି ସହର ଥିବା ନେଇ ବି ରିପୋର୍ଟ ପ୍ରକାଶ ପାଇଛି ।

ଗତ କିଛି ବର୍ଷ ଭିତରେ ଅସ୍ତରଙ୍ଗରେ ସମୁଦ୍ର ଅଶାନ୍ତ ହେବାର ଅନେକ ଚିତ୍ର ଆସିଛି । ଏହା ସହ ସମୁଦ୍ର କୂଳବର୍ତୀ କିଛି ଗାଁ ପାଣିରେ ବୁଡି ଯିବାର ନଜିର ବି ରହିଛି । ହେଲେ ଭୟର ଏହି ଚିତ୍ର ଏତିକିରେ ସରିଯାଉନି । ଆଗକୁ ସମୁଦ୍ର ଆହୁରି ଫୁଲିବା ସହ ଉପକୂଳବର୍ତୀ ଜିଲ୍ଲା ମାନଙ୍କ ପ୍ରତି ବଡ ଧରଣର ବିପଦ ଥିବା ଜଣାପଡିଛି । ଏମିତିକି ସମୁଦ୍ର ମାଡି ଆସିବା ଯୋଗୁଁ ଓଡିଶାର ୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରିଛି ସେଂଟ୍ରାଲ କ୍ଲାଇମେଟ ନାମକ ଆନ୍ତର୍ଜାତୀୟ ସଂସ୍ଥା ।

ପୂର୍ବରୁ ଅନେକ ଥର ଅଶାନ୍ତ ସମୁଦ୍ରର ଚିତ୍ର ଆସିଛି । ହେଲେ ୨୦୫୦ ମସିହା ସୁଦ୍ଧା ସମୁଦ୍ରର ଜଳପତନ ଯଥେଷ୍ଟ ବୃଦ୍ଧି ପାଇବା ସହ ପୁରୀ ସମୁଦ୍ର ଗର୍ଭକୁ ଚାଲିଯିବାର ଆଶଙ୍କା କରିଛି କ୍ଲାଇମେଟ ସେଂଟ୍ରାଲର ରିପୋର୍ଟ । ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିବାର ଅନୁମାନ କରାଯାଇଛି । ଓଡିଶାର ତିନି ଉପକୂଳବର୍ତୀ ଜିଲ୍ଲାକୁ ରହିଛି ସର୍ବାଧିକ ବିପଦ । ବାଲେଶ୍ୱର, ପାରାଦୀପ ଓ ପୁରୀ ଜିଲ୍ଲାର ବହୁ ଅଂଚଳ ସମୁଦ୍ରରେ ବୁଡି ଯିବା ନେଇ ଆଶଙ୍କା ପ୍ରକାଶ କରିଛି କ୍ଲାଇମେଟ ସେଂଟ୍ରାଲର ଏହି ରିପୋର୍ଟ ।

ମୁମ୍ବାଇ, ସୁରଟ, ପୋରବନ୍ଦର, ପଶ୍ଚିମବଙ୍ଗ ଓ ଚେନ୍ନାଇ ଉପକୂଳ ପ୍ରତି ବି ସମୁଦ୍ର ବିପଦ ସୃଷ୍ଟି କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହ ୭ଟି ଦେଶରେ ପ୍ରାୟ ୩୦କୋଟି ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରିଛି ଏହି ଆନ୍ତର୍ଜାତୀୟ ସଂସ୍ଥା । ୨୦୫୦ ମସିହାରୁ ୨୧୦୦ ମସିହା ଭିତରେ ସାରା ବିଶ୍ୱ ସମୁଦ୍ରର କରାଳ ରୂପ ଦେଖିବା ନେଇ ଆଶଙ୍କା କରିଛି ଆନ୍ତର୍ଜାତୀୟ ସଂସ୍ଥା । ଏଣୁ ହୁଏତ ଆମେ ଆମ ଜୀବନକାଳ ଭିତରେ ପ୍ରକୃତିର ଏହି ମହାତାଣ୍ଡବକୁ ସାମ୍ନା କରିପାରୁ । ଏମିତିକି ଅଶାନ୍ତ ସମୁଦ୍ରର ସବୁଠାରୁ ଉଗ୍ର ରୂପ ସୃଷ୍ଟି ହେବା ନେଇ ବି ଆଶଙ୍କା କରାଯାଉଛି ।

ନଜର ପକାନ୍ତୁ କେଉଁ ଆଧାରରେ ଏଭଳି ପୂର୍ବାନୁମାନ କରାଯାଇଛି :
ବିଶ୍ୱର ବଦଳୁଥିବା ପାଣିପାଗ ଯୋଗୁଁ ସମୁଦ୍ର ସ୍ଥଳ ଭାଗକୁ ମାଡି ଯିବାର ଆଶଙ୍କା ବଢିଛି ।
ବିଶ୍ୱ ତାପମାତ୍ରା ବୃଦ୍ଧି ସହ ବରଫ ତରଳୁଛି ଓ ସମୁଦ୍ରପତନ ବଢୁଛି । ନାସାର ସାଟେଲାଇଟ ଚିତ୍ରରୁ ସମୁଦ୍ର ସ୍ଥଳ ଭାଗ ଆଡକୁ ବଢୁଥିବା ଜଣା ପଡିଛି ।
ଆନ୍ତର୍ଜାତୀୟ ସଂସ୍ଥାର ଏହି ରିପୋର୍ଟ ଯେତିକି ଆଶଙ୍କା ସୃଷ୍ଟି କରୁଛି ଉପକୂଳବର୍ତୀ ଜିଲ୍ଲାର ସୁରକ୍ଷା ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ ବି ଚେତାଇ ଦେଇଛି ।