ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ ମହାସମର । କରୋନା ପାଇଁ ଟୁର୍ଣ୍ଣାମେଣ୍ଟରେ ହେବ ଏହି ସବୁ ବଡ ପରିବର୍ତ୍ତନ ।

708

କନକ ବ୍ୟୁରୋ: ସରିଛି ଅପେକ୍ଷା, ବାଜି ସାରିଛି ଆଇପିଏଲ ବିଗୁଲ । ୨୦୨୧ ଆଇପିଏଲ ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାସମର । ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଚଳିତ ବର୍ଷ କରୋନା କାଳରେ ଆରମ୍ଭ ହେବ ଆଇପିଏଲର ୧୪ତମ ସଂସ୍କରଣ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନ କରିଛି ବିସିସିଆଇ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟରେ କିଛି ପରିବର୍ତ୍ତନ କରାଯାଇଛି ।

ଏଥର ଆଇପିଏଲ ୫୨ ଦିନ ଚାଲିବ । ଆଉ ଏଥିରେ ଫାଇନାଲକୁ ମିଶାଇ ମୋଟ ୬୦ଟି ମ୍ୟାଚ ଖେଳାଯିବ । ସବୁଠାରୁ ବଡ କଥା ହେଉଛି ମୋଟ ୬ଟି ସହରରେ ସମସ୍ତ ମ୍ୟାଚ ଖେଳାଯିବ । ୫୬ ଲିଗ ମ୍ୟାଚରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବାଙ୍ଗାଲୋରରେ ୧୦ଟି ଲେଖାଏଁ ମ୍ୟାଚ ଖେଳାଯିବ । ସେହିପରି ଅହମ୍ମଦାବାଦ ଓ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ ଖେଳାଯିବ । ଏଥର ସବୁ ଟିମ ନ୍ୟୁଟ୍ରଲ ଭେନ୍ୟୁରେ ମ୍ୟାଚ ଖେଳିବେ । ଅର୍ଥାତ ନିଜ ହୋମ ଗ୍ରାଉଣ୍ଡରେ କୌଣସି ବି ଦଳ ମ୍ୟାଚ ଖେଳିପାରିବେନି । ପ୍ରତି ଟିମ ପାଇଁ ୪ଟି ଭେନ୍ୟୁ ଚୂଡାନ୍ତ କରାଯାଇଛି । ଯେଉଁଠି ଟିମ ନିଜର ସମସ୍ତ ଲିଗ ମ୍ୟାଚ ଶେଷ କରିବେ ।

ଏଥର ଆଇପିଏଲ ଭାରତରେ ଆୟୋଜନ ହେଉଥିଲେ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟରେ କିଛି ପରିବର୍ତ୍ତନ କରାଯାଇଛି । ମ୍ୟାଚ ସମୟରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ଅର୍ଥାତ ଏଥର ଆରମ୍ଭରୁ ସବୁ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଲିଗ ମ୍ୟାଚ ସରିବା ପରେ କରୋନା ସ୍ଥିତିକୁ ନଜରରେ ରଖି ଦର୍ଶକଙ୍କ ଅନୁମତି ଉପରେ ନିଷ୍ପତ୍ତି ନିଆଯିବ । ଗତ ବର୍ଷ ମଧ୍ୟ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ଦର୍ଶକଙ୍କୁ ଅନୁମତି ଦିଆଯାଇନଥିଲା ।

ଖେଳାଳିମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଯୋଜନା କରାଯାଇଛି । ପ୍ରତି ଟିମ ଲିଗ ମ୍ୟାଚ ସମୟରେ ମୋଟ ୩ ଥର ଟ୍ରାଭେଲ କରିବେ । ଅର୍ଥାତ ୩ଥର ଟ୍ରାଭେଲ କରି ନିଜର ସମସ୍ତ ମ୍ୟାଚ ଶେଷ କରିବେ । ଏହାସହ ଚଳିତ ବର୍ଷ ଆଇପିଏଲକୁ ବାୟୋ ସିକ୍ୟୋର ବବଲରେ ଖେଳାଯିବ ବୋଲି କୁହାଯାଉଛି । ଏହାଦ୍ୱାରା ଖେଳାଳିମାନେ ଅନ୍ୟ କାହା ସଂସ୍ପର୍ଶରେ ବେଶି ଆସିବେନି । ଆଉ ସୁରକ୍ଷିତ ରହିବେ ।

ଏଥର ୧୧ଟି ଡବଲ ହେଡର ମ୍ୟାଚ ରହିଛି । ଦ୍ୱିପହରରେ ୩ଟା ୩୦ରେ ମ୍ୟାଚ ଆରମ୍ଭ ହେବ । ସେହିପରି ସନ୍ଧ୍ୟା ସମୟରେ ୭ଟା ୩୦ରେ ମ୍ୟାଚ ଖେଳାଯିବ । କରୋନାକୁ ଦୃଷ୍ଟିରେ ରଖି ଚଳିତ ଆଇପିଏଲରେ ଏହି ସବୁ ପରିବର୍ତ୍ତନ କରାଯାଇଛି । ଦର୍ଶକ ଷ୍ଟାଡିୟମକୁ ନଯାଇ ପାରିଲେ ମଧ୍ୟ ଟିଭି ମାଧ୍ୟମରେ ଖେଳର ଭରପୂର ମଜା ନେଇ ପାରିବେ ।