ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଅନ୍ନଦାତା ସାଜିଛନ୍ତି ଜୋସେଫ ସେକର । ଲକଡାଉନରେ ବି ପକ୍ଷୀଙ୍କୁ ରଖିନଥିଲେ ଭୋକିଲା । ୪ ହଜାର ଶୁଆଙ୍କ ପେଟକୁ ଦେଉଥିଲେ ଦାନା ।

193

କନକ ବ୍ୟୁରୋ : ସେ ବୁଝନ୍ତି ପକ୍ଷୀଙ୍କ ମନ ଆଉ ପେଟ କଥା । ସେଥିପାଇଁ ସକାଳ ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ହଜାର ହଜାର ପକ୍ଷୀ ଆସି ତାଙ୍କ ଛାତ ଉପରେ ବସିଥାନ୍ତି । ଆଉ ସେହି ପକ୍ଷୀମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାନ୍ତି ଏହି ବ୍ୟକ୍ତି । ପକ୍ଷୀମାନଙ୍କ ପ୍ରତି ଥିବା ତାଙ୍କର ଏଭଳି ପ୍ରେମ ପାଇଁ ତାଙ୍କୁ ଭାରତର ପକ୍ଷୀ ମଣିଷ ବୋଲି କୁହାଯାଏ ।

ଜୋସେଫ ସେକର । ଘର ତାମିଲନାଡୁର ଚେନ୍ନାଇ ସହରରେ । ସେକର ପେଶାରେ ଜଣେ କ୍ୟାମେରା ମେକାନିକ । ତାଙ୍କର କ୍ୟାମେରା ସଜାଡିବାରଏକ ଦୋକାନ ମଧ୍ୟ ରହିଛି । ସେକର ପ୍ରତିଦିନ ସକାଳ ୪ଟାରେ ଉଠିଥାନ୍ତି । ହେଲେ ସେ ସକାଳୁ ଉଠି ନିଜ କାମ କରନ୍ତିନି, କରନ୍ତି ପକ୍ଷୀମାନଙ୍କ କାମ । ପକ୍ଷୀମାନଙ୍କ ପାଇଁ ୬୦ କେଜି ଚାଉଳ ନିଜ ଛାତ ଉପରେ ସଜାଡିକି ରଖିଥାନ୍ତି । ଆଉ ସକାଳ ହେବା ମାତ୍ରେ ପ୍ରାୟ ୪ ହଜାର ଶୁଆ ତାଙ୍କ ଛାତ ଉପରକୁ ଆସିଥାନ୍ତି ।

ଦିନେ ସେକରଙ୍କ ଛାତ ଉପରକୁ ୨ଟି ଶୁଆ ଆସିଥିଲେ । ଆଉ ତାଙ୍କୁ ଦେଖି ସେକର ଖାଇବାକୁ ଦେଇଥିଲେ । ପରେ ଦ୍ୱିତୀୟ ଦିନ ୪ଟି ଶୁଆ ଆସିଲେ । ଆଉ ତାଙ୍କୁ ବି ଖାଇବାକୁ ଦେଲେ ସେକର । ଏମିତି ପ୍ରତିଦିନ ସେକର ନିଜ ଛାତ ଉପରେ ଶୁଆଙ୍କୁ ଖାଇବାକୁ ଦେଇଥିଲେ । ଆଉ ଏବେ ଏହି ଶୁଆମାନଙ୍କ ସଂଖ୍ୟା ୪ରୁ ୪ ହଜାରରେ ପହଞ୍ଚିଛି ।

ଶୁଆମାନଙ୍କୁ ଖାଇବାକୁ ଦେବାକୁ ସେକର ନିଜ ଅର୍ଥର ୪୦ ପ୍ରତିଶତ ଖର୍ଚ୍ଚ କରନ୍ତି । ଏହି କାମ ସେ ନିଜେ ହିଁ କରିଥାନ୍ତି । ଗୋଟିଏ ଦିନ ବି ସେ ଶୁଆମାନଙ୍କ ଖାଇବା ବନ୍ଦ କରନ୍ତିନି । ଆଉ ଶୁଆମାନଙ୍କୁ ଖାଇବାକୁ ଦେବେ ବୋଲି ସେ କୁଆଡେ ବି ଯାଆନ୍ତି ନି । ଏଥିପାଇଁ ସେ କହିନ୍ତି ଯଦି ମୁଁ କୁଆଡେ ପଳେଇବେ ଶୁଆମାନେ କେମିତି ଖାଇବେ ।

ସେକର ଆଉ ଶୁଆଙ୍କ ମଧ୍ୟରେ ଥିବା ଏହି ସମ୍ପର୍କ ଆଜିର ସମାଜ ପାଇଁ ଏକ ବଡ ଉଦାହରଣ । ପକ୍ଷୀମାନଙ୍କ କଥା ବୁଝିପାରୁନଥିଲେ ମଧ୍ୟ ତାଙ୍କ କିଚିରି ମିଚିରି ରାବରେ ତାଙ୍କ ପେଟ କଥା ବୁଝିପାରନ୍ତି ସେକର । ଆଉ ତାଙ୍କୁ ଦିଅନ୍ତି ପେଟ ପୂରା ଖାଇବା । ଆଉ ଶୁଆମାନେ ମଧ୍ୟ ସେକରଙ୍କୁ ନିଜ ଅନ୍ନଦାତା ଭାବେ ମଧ୍ୟ ଗ୍ରହଣ କରି ସାରିଛନ୍ତି । କାରଣ ଦିନକୁ ଦିନ ସେକରଙ୍କ ଛାତ ଉପରେ ଶୁଆମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।