ନିର୍ଭୟା ଦୋଷୀଙ୍କୁ ଫାଶୀ ପ୍ରସଙ୍ଗ । ଆଜି ଦିଲ୍ଲୀ ହାଇକୋର୍ଟରେ ତିହାର ଜେଲ କର୍ତୃପକ୍ଷ ଆବେଦନ ଉପରେ ହେବ ଶୁଣାଣି , ମୁକେଶ ଓ ବିନୟଙ୍କ ଲାଗି ଧାର୍ଯ୍ୟ ହେବ କି ଫାଶୀ ତାରିଖ ?

1,000

କନକ ବ୍ୟୁରୋ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରତି ଦିନ ନୂଆ ନୂଆ ଘଟଣା ଘଟୁଛି । ଦୀର୍ଘ ୭ ବର୍ଷ ହେଲା ନ୍ୟାୟାଳୟରେ ଛନ୍ଦି ହୋଇ ପଡିଛି ଏହି ମାମଲା । ତିହାର ଜେଲରେ ଗତ ୧ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଦୋଷୀଙ୍କ ଆବେଦନର ଲମ୍ବା ତାଲିକା ଭିତରେ ତାହା ସମ୍ଭବ ନୁହେଁ ବୋଲି ଦିଲ୍ଲୀ କୋର୍ଟ ରାୟ ଦେଇଥିଲେ । ଫଳରେ ଫାଶୀ ପାଇବାର ମାତ୍ର ୧୨ ଘଂଟା ପୂର୍ବରୁ ଡେଥ୍ ୱାରେଂଟ ଉପରେ ରହିତାଦେଶ ଲାଗୁ ହୋଇଥିଲା । ଏହାକୁ ନେଇ ପିଟିସନ ଦାଖଲ କରିଛନ୍ତି ତିହାର ଜେଲ କର୍ତୃପକ୍ଷ । ଏଥିରେ ଅତି କମରେ ଦୁଇ ଜଣ ଦୋଷୀଙ୍କୁ ବର୍ତମାନ ଫାଶୀ ଦେବାକୁ ଅନୁମତି ମାଗିଛନ୍ତି ଜେଲ କର୍ତୃପକ୍ଷ । ଏହି ଆବେଦନର ବିଚାର ଆଜି ଅପରାହ୍ନ ୩ଟାରେ ଦିଲ୍ଲୀ ହାଇକୋର୍ଟ କରିବେ ବୋଲି ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କ ଆଗରେ ନିଜ ପକ୍ଷ ଉପସ୍ଥାପନ କରି କହିଛନ୍ତି, ଦୋଷୀମାନେ ଆଇନର ସହାୟତାରେ ଫାଶୀକୁ ବିଳମ୍ବିତ କରିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏବା ଦେଶର ଧୈର୍ଯ୍ୟକୁ ପ୍ରଭାବିତ କରୁଛି ।

ଚାରି ଦୋଷୀ ମୁକେଶ ସିଂହ, ଅକ୍ଷୟ ଠାକୁର, ପବନକୁମାର ଗୁପ୍ତା ଓ ବିନୟ ଶର୍ମାଙ୍କୁ ୨୦୧୨ ଦୁଷ୍କର୍ମ ଓ ହତ୍ୟାଘଟଣାର ବର୍ଷକ ମଧ୍ୟରେ ଫାଷ୍ଟ ଟ୍ରାକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇ ସାରିଥିଲେ । କିନ୍ତୁ ପରବର୍ତୀ ନ୍ୟାୟାଳୟରେ ଏହାର ଆବେଦନ ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିଲା । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପୁଣି ଥରେ ବ୍ଲାକ ୱାରେଂଟ ଜାରି କରିବାକୁ ଆବେଦନ କରିଛନ୍ତି ଚୁଷାର ମେହଟା । ଦୁଇ ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ ସମସ୍ତ ଆଇନଗତ ଆବେଦନ ପୁରା ହୋଇ ସାରିଥିବା ବେଳେ ତାଙ୍କୁ ଫାଶୀ ପାଇଁ ନିର୍ଦ୍ଦେଶ ଦେବାକୁ ସଲିସିଟର ଜେନେରାଲ ଆବେଦନ କରିଛନ୍ତି । କିନ୍ତୁ ତିହାର ଜେଲ ମାନୁଆଲରେ ଭିନ୍ନ କଥା ଉଲ୍ଲେଖ ରହିଛି । ଗୋଟିଏ ଶୁଣାଣୀରେ ଗୋଟିଏ ଘଟଣା ପାଇଁ ଗୋଟିଏ ଥର ଶୁଣାଣିରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲେ ସେମାନଙ୍କୁ ଏକା ଥରେ ଫାଶୀ ଦେବାର ବ୍ୟବସ୍ଥା ରହିଛି । ତେବେ ଆଜି ଅପରାହ୍ନରେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।