କନକ ବ୍ୟୁରୋ : ୧୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଗୋଟିଏ ପଟେ ସରକାର ଦେଉଥିବା ପ୍ରସ୍ତାବକୁ କୃଷକ ମାନେ ବାରମ୍ବାର ଅଗ୍ରାହ୍ୟ କରିଦେଉଥିବା ବେଳେ ସମ୍ପୁର୍ଣ୍ଣ କୃଷି କାନନୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ସରକାର ଅକଳରେ ପଡିଥିବା ବେଳେ କୃଷକ ମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା କରିଛନ୍ତି । ଏନେଇ ଦିଲ୍ଲୀକୁ ଥିବା ସମସ୍ତ ପ୍ରବେଶ ପଥକୁ କୃଷକ ମାନେ ଧିରେ ଧିରେ କବଜା କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୧୪ ତାରିଖ ଦିନ ସମଗ୍ର ଭାରତର ପ୍ରତିଟି ଜିଲ୍ଲାରେ କୃଷକ ମାନେ ପ୍ରତିବାଦ କରିବାକୁ ବି ଘୋଷଣା କରିଛନ୍ତି ।

Advertisment

ଏନେଇ ଆଜି ଅପରାହ୍ନରେ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ଏକ ସାମ୍ବାଦିକ ସମ୍ମିଳନୀ ଡାକି କୃଷି କାନୁନର ଉପକାରିତା ବିଷୟରେ କହିବା ସହ କୃଷକ ମାନେ ଚାହୁଁଥିବା ବିନ୍ଦୁ ଉପରେ ପରିବର୍ତ୍ତନ ପାଇଁ କିଭଳି ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା କରିଛନ୍ତି । ଶ୍ରୀ ତୋମାର କହିଛନ୍ତି କି ସରକାରଙ୍କ ତରଫରୁ ଆଇନରେ କ’ଣ କ’ଣ ସଂଶୋଧନ ଆଣିପାରିବେ ସେ ନେଇ ଗତକାଲି ସେମାନଙ୍କୁ ଏକ ପ୍ରସ୍ତାବପତ୍ର ଦିଆଯାଇଛି । ଯାହାକୁ କୃଷକ ମାନେ ଅଗ୍ରାହ୍ୟ କରିଥିଲେ ବି ସେମାନେ ଏହା ଉପରେ ଆଉଥରେ ବିଚାର କରିବାକୁ ଅନୁରୋଧ କରିଛନ୍ତି କୃଷିମନ୍ତ୍ରୀ ।

ସେ କହିଛନ୍ତି କି କୃଷି ଉତ୍ପାଦିତ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ । ମଣ୍ଡିକୁ ନେଇ ଉଠୁଥିବା ପ୍ରଶ୍ନକୁ ନେଇ ସେ କହିଛନ୍ତି କି ମଣ୍ଡି ପୂର୍ବଭଳି ଚାଲୁ ରହିବ । ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କିଭଳି କରାଯାଇପାରିବ ସେନେଇ ସରକାର ଆଲୋଚନା କରୁଛନ୍ତି । ଅନ୍ୟପଟେ ଚୁକ୍ତିଭିତ୍ତିକ ଚାଷକୁ ନେଇ କୃଷକ ମାନଙ୍କ ମନରେ ଥିବା ସନ୍ଦେହ କରିବାକୁ ଯାଇ ସେ କହିଛନ୍ତି  କଣ୍ଟାକ୍ଟ ଫାର୍ମିଂ ଏକ ଇଚ୍ଛାଧିନ ଫାର୍ମିଂ । ଚାଷୀ ଚାହିଁଲେ କଣ୍ଟାକ୍ଟ ଫାର୍ମିଂ କରିପାରିବ ନହେଲେ ସେ ପୂର୍ବଭଳି ନିଜ ଜମିରେ ନିଜେ ଚାଷ କରି ଲାଭବାନ ହୋଇପାରିବ । ଅନ୍ୟପଟେ ମଣ୍ଡି ବାହାରେ ବ୍ୟବସାୟୀ ମାନଙ୍କ ଉପରେ କରଛାଡ ଭଳି ଯେଉଁ ପ୍ରସ୍ତାବ ନୂତନ କୃଷିବିଲରେ ଥିଲା ତାହାକୁ ପରିବର୍ତ୍ତନ କରି ମଣ୍ଡି ଓ ମଣ୍ଡି ବାହାରେ ଶଷ୍ୟ କିଣୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଗୋଟିଏ କର ଧାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଏହା ସହ ମଣ୍ଡିବାହାରେ ଯଦି କୃଷକକୁ ତା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାରୀ ମଣ୍ଡି ଠାରୁ ଅଧିକ ମିଳିବ ତେବେ କୃଷକ ମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏବେ ଥିବା ଆଇନ ମୁତାବକ ଚାଷୀ ମାନଙ୍କ ଠାରୁ ବେପାରୀ ବା ମଧ୍ୟସ୍ଥି ମାନେ ଅଧିକ ଲାଭବାନ ହେଉଛନ୍ତି । ହେଲେ ନୂଆ ଆଇନ ଆସିବା ପରେ ମଧ୍ୟସ୍ଥି ମାନଙ୍କର ଲାଭ କମିବ । ଅନ୍ୟପଟେ ଚୁକ୍ତି ଭିତ୍ତିକ ଚାଷରେ କିଛି ସମସ୍ୟା ଦେଖାଦେଲେ ପ୍ରଥମେ ତାହା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାର ସୁଯୋଗ ଦିଆଯାଇଥିଲା । ହେଲେ ଏବେ ଏହାକୁ କୋର୍ଟ ପର୍ଯ୍ୟନ୍ତ ନିଆଯାଇଛି ବୋଲି ସେ କହିଛନ୍ତି । ଏନେଇ କୃଷକ ମାନେ ଅନ୍ୟର ଚାପରେ ବଶବର୍ତ୍ତି ନହୋଇ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରନ୍ତୁ ବୋଲି ସେ ଆନ୍ଦୋଳନରତ କୃଷକ ମାନଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଆଜି (ଗୁରୁବାର) ସଂନ୍ଧ୍ୟା ୫.୩୦ ମିନିଟରେ କୃଷକ ନେତା ମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି । ଏହା ପୂର୍ବରୁ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ଯେ ପର୍ଯ୍ୟନ୍ତ ସରକାର କୃଷି ବିଲ୍ କୁ ପ୍ରତ୍ୟାହର କରି ନାହାନ୍ତି ସେ ପର୍ଯ୍ୟନ୍ତ ଆଉ ସରକାରଙ୍କ ସହିତ କୌଣସି ଆଲୋଚନା ହେବାର ସମ୍ଭାବନା ନାହିଁ । ସେ ଆହୁରି କହିଛନ୍ତି କି କେବଳ ଆମକୁ କେନ୍ଦ୍ରସରକାର ହଇରାଣ କରୁନାହାନ୍ତି କେନ୍ଦ୍ରସରକାରଙ୍କ ସହ ୟୁ.ପି,ହରିଆଣା ଓ ରାଜସ୍ଥାନ ସରକାର ବି ହଇରାଣ କରୁଛନ୍ତି । ହେଲେ ସେମାନଙ୍କୁ ଗୁରୁତ୍ୱ ନଦେଇ ଆମର ଧ୍ୟାନ କେନ୍ଦ୍ରସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ।