କୁଆଡ଼େ ଚାଲିଗଲେ ୧୮ ଲକ୍ଷ ପିଲା । ଗଣଶିକ୍ଷା ମନ୍ତ୍ରୀ କହିଲେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଆସୁନାହାନ୍ତି ୩୦ ପ୍ରତିଶତ ପିଲା ।

ଘରକୁ ଘର ବୁଲି ପିଲାଙ୍କୁ ଖୋଜିବେ କନିଷ୍ଠ ଶିକ୍ଷକ 

143

କନକ ବ୍ୟୁରୋ: ସ୍କୁଲକୁ ଆସୁନାହାନ୍ତି ଶତ ପ୍ରତିଶତ ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ପ୍ରାୟ ଦୁଇ ବର୍ଷ ସ୍କୁଲ ବନ୍ଦ ରହିଥିଲା । ଏବେ ସ୍କୁଲ ଖୋଲିବା ପରେ କିନ୍ତୁ ୭୦ ପ୍ରତିଶତ ପିଲା ସ୍କୁଲ ଆସୁଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇଛି । କିପରି ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ରହିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ପିଲା କାହିଁକି ସ୍କୁଲକୁ ଆସୁନାହାନ୍ତି ସେ ନେଇ ଧ୍ୟାନ ଦେବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ।

  • ସ୍କୁଲରେ ନାଁ ଗଡୁଛି, ହେଲେ ଆସୁନାହାନ୍ତି ପିଲା
  • ପିଲାଙ୍କୁ ଖୋଜିବାକୁ ଅଣ୍ଟା ଭିଡିଲେ ସରକାର

ସ୍କୁଲ ଉପସ୍ଥାନ ଖାତାରେ ନାଁ ଅଛି ହେଲେ  ୩୦ ପ୍ରତିଶତ ପିଲା ସ୍କୁଲ ଆସୁନାହାନ୍ତି, ଯାହା ସରକାରଙ୍କ ଚିନ୍ତା ବଢାଇଦେଇଛି । କରୋନା ମହାମାରୀ ଯୋଗୁଁ ୨ ବର୍ଷ ସ୍କୁଲ ବନ୍ଦ ରହିବା ପରେ ଏବେ ଯେତେବେଳେ ସ୍କୁଲ ଖୋଲିଛି ସେତେବେଳେ ମାତ୍ର ୭୦ ପ୍ରତିଶତ ପିଲା ସ୍କୁଲକୁ ପଢିବାକୁ ଆସୁଛନ୍ତି । ବାକି ପିଲା କେଉଁଠି ଗଲେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । କିପରି ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ରହିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପିଲା କାହିଁକି ସ୍କୁଲକୁ ଆସୁନାହାନ୍ତି ସେ ନେଇ ଖୋଜିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ ସ୍କୁଲ କର୍ତ୍ତୃପକ୍ଷ । ଗାଁର ସରପଞ୍ଚ ଓ ଏସଏଚଜି ମହିଳାଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାହାର ତଦାରଖ କରିବେ ।

ବର୍ତ୍ତମାନ  ସ୍କୁଲ ସ୍ତରରେ ପିଲାଙ୍କୁ ଖୋଜିବାକୁ  ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏବେ ପ୍ରଶ୍ନ ଉଠୁଚି, ସରକାରଙ୍କୁ କଣ ସଠିକ ତଥ୍ୟ ମିଳିବ ।  ଶିକ୍ଷକ, ଅଭିଭାବକ  ଓ ସରପଞ୍ଚ କଣ ସବୁ ପିଲାଙ୍କ ସଠିକ ତଥ୍ୟ ଦେଇପାରିବେ  ।

ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଯାଏଁ ପ୍ରାୟ ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢନ୍ତି । ଯଦି ସରକାରଙ୍କ ହିସାବକୁ ନିଆଯାଏ ତେବେ ୩୦ ପ୍ରତିଶତ ଅର୍ଥାତ୍ ୧୮ ଲକ୍ଷ ପିଲା ଆଦୌ ସ୍କୁଲ ଆସୁନାହାନ୍ତି । ବିଶେଷ କରି ପଛୁଆ ଅଞ୍ଚଳରେ ଏହି ହାର ଅଧିକ ରହୁଛି । ସ୍କୁଲରେ ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତି ରହୁଛନ୍ତି, ତା’ର କାରଣ ଖୋଜିବା ପାଇଁ ସ୍କୁଲ ସ୍ତରରେ  ଏକ ସର୍ଭେ କରାଯିବ । କନିଷ୍ଠ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଘରକୁ ଯିବା ପାଇଁ କୁହାଯାଇଛି । ଏମାନେ ପିଲାଙ୍କୁ ସ୍କୁଲ ପଠାଇବାର ଲାଭ ଏବଂ ମାଗଣା ବହି, ମାଗଣା ୟୁନିଫର୍ମ, ମଧ୍ୟାହ୍ନଭୋଜନ ଏବଂ ସ୍କଲାରସିପ୍ ଯୋଗାଇବା ପାଇଁ ସରକାରଙ୍କ ପଦକ୍ଷେପ ସଂପର୍କରେ ଛାତ୍ର ଓ ଅଭିଭାବକଙ୍କୁ କହିବେ ।

ସରକାର ପିଲାଙ୍କୁ ସ୍କୁଲ ଆଣିବାକୁ ପ୍ରୋତ୍ସାହନ ଦେବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି…

  • ଏତେ ସଂଖ୍ୟକ ପିଲା ଗଲେ କୁଆଡେ?
  • ସ୍କୁଲକୁ ଆସୁନାହାନ୍ତି ନା ଡ୍ରପ ଆଉଟ?
  • ପିଲା ନ ଫେରିଲେ କ’ଣ କରିବେ ସରକାର?