କନକ ବ୍ୟୁରୋ : ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଓଡିଶା ସୀମାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟାକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୨୯ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି । ହେଲେ ବେସରକାରୀ ଭାବେ ଟ୍ରେନ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଆହତ ଯାତ୍ରାଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଶନିବାର ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟାକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ।
ଆହତଙ୍କୁ ବିଶାଖାପଟଣା ସ୍ଥିତ କିଙ୍ଗସ୍ ଜର୍ଜ ହସପିଟାଲ୍, ରେଳବାଇ ହସପିଟାଲ୍ ଓ ବିଜୟନଗରମ୍ର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ବିଜୟନଗରମ୍ ଜିଲ୍ଲାର ଏସପି ଓ ଜିଲ୍ଲାପାଳ ମଧ୍ୟ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ୧୦ଟି ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଁଚି ଆହତଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ବିଶାଖାପାଟନମ-ପଲାସା ଟ୍ରେନର ୧୧ଟି କୋଚକୁ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି । ସେହିପରି ବିଶାଖାପାଟନମ- ରାୟଗଡା ପାସେଞ୍ଜର ଟ୍ରେନର ୯ଟି କୋଚକୁ କଣ୍ଟକାପାଲ୍ଲୀକୁ ଟାଣି ଅଣାଯାଇଛି । ଲାଇନଚ୍ୟୁତ ସମସ୍ତ ବଗିକୁ ହଟାଇ ରେଳ ଟ୍ରାକ ମରାମତି କରାଯାଉଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ରାୟଗଡ଼ା ଓ ବିଶାଖାପାଟଣା, ବ୍ରହ୍ମପୁର, ପଲାସା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ହେଲପ ଲାଇନ୍ ଡେସ୍କ ଖୋଲା ଯାଇଛି । ରେଳବାଇ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ସୂଚନା ପାଇଁ ୦୮୯୧-୨୭୪୬୩୩୦, ୦୮୯୧-୨୭୪୪୬୧୯ ଏବଂ ମୋବାଇଲ୍ ନମ୍ବର ୮୧୦୬୦୫୩୦୫୧ରେ ସଂପର୍କ କରିବାକୁ କୁହାଯାଇଛି । ୮୧୦୬୦୫୩୦୫୨, ୮୫୦୦୦୪୧୬୭୦ ହେଲପ ଲାଇନ ନମ୍ବର ଦିଆଯାଇଛି । ଭୁବନେଶ୍ୱର ପାଇଁ ୦୬୭୪-୨୩୦୧୫୨୫, ୦୬୭୪-୨୩୦୧୬୨୫, ୦୬୭୪-୨୩୦୩୦୬୦, ୦୬୭୪-୨୩୦୩୭୨୯ ହେଲଫ ଲାଇନ ନମ୍ବର ଜାରି କରାଯାଇଛି ।