କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ପ୍ରତି ମୁହୂର୍ତ୍ତରେ ବଦଳୁଛି ସ୍ଥିତି । କେତେବେଳେ ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର ହେଉଥିବାର ଖବର ଆସୁଥିବା ବେଳେ ତ ପୁଣି କେତେବେଳେ ଋଷର ୬ ହଜାର ଯବାନଙ୍କୁ ମାରିଥିବା ନେଇ ଦାବି କରୁଛି ୟୁକ୍ରେନ । ଆଉ ଏସବୁ ଭିତରେ ପୁଣିଥରେ ଋଷ ଧମକ ଦେବା ସହ କହିଛି, ୟୁକ୍ରେନକୁ କୌଣସି ବି ପରିସ୍ଥିତିରେ ପରମାଣୁ ଅସ୍ତ୍ର ଅକ୍ତିଆର କରିବାକୁ ଅନୁମତି ଦେବୁ ନାହିଁ । ଆମେରିକା କଥାରେ ୟୁକ୍ରେନ୍ ପରିଚାଳିତ ନହେଉ କି ଆମେରିକାର କଥା ନ କହୁ । ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ୟୁକ୍ରେନ ଆଲୋଚନାରେ ଆମେରିକାର କଣ୍ଢେଇ ସାଜି ନ ନାଚୁ । ସବୁ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ । ତୃତୀୟ ବିଶ୍ୱଯୁଦ୍ଧ ଯଦି ହେବ ତେବେ ପରମାଣୁ ଆକ୍ରମଣ ସହ ହେବ । ଆଉ ଏହା ବିଶ୍ୱ ପାଇଁ ବିନାଶକାରୀ ସାଜିବ ।

Advertisment

ଏସବୁ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷ ସୈନିକ ଆମର ଇତିହାସକୁ ମାଟିରେ ମିଶାଇବାକୁ ପ୍ରୟାସ କରୁଛନ୍ତି । କାରଣ ବିଭିନ୍ନ ଧାର୍ମିକ ସ୍ଥ୍ଳ ଉପରେ ଋଷ ଆକ୍ରମଣ କରୁଛି ।  କିନ୍ତୁ ଆମର ଇତିହାସ ବାବଦରେ ଋଷ ବୋଧହୁଏ କିଛି ଜାଣିନି । ଅନ୍ୟପଟେ ୟୁକ୍ରେନ ମେୟର କହିଛନ୍ତି, ଋଷ ସେନା ଏବେ ଆମକୁ ଡେଡଲାଇନ ଦେଇଛନ୍ତି । ଆତ୍ମସର୍ମପଣ ନକଲେ ପୂରା କୋନୋଟପ୍ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଚେତାବନୀ ଦେଇଛନ୍ତି ।

ଏହାପୂର୍ବରୁ ଆଜି ୟୁକ୍ରେନର ଦ୍ୱିତୀୟ ବୃହତମ ସହର ଖାରକିଭରେ ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରିଛି । ଖାରକିଭ୍ ଉପରେ ଋଷ ସେନା ପୂରା ଜୋର ଲଗାଇ ଦେଇଛି । ରାତି ସାରା ଆକ୍ରମଣ ପରେ ଆଜି ସକାଳଠାରୁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହେଉଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ରକେଡ୍ ମାଡ ସହ ଘନ ଘନ ବୋମାମାଡ଼ କର।।ଯାଉଛି । ଖାରକିଭର ମିଲିଟାରୀ ଏକାଡେମୀରେ ରକେଡ୍ ମାଡ ହୋଇଛି । ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟରେ ମିସାଇଲ ମାଡ କରାଯାଇଛି । ବିସ୍ଫୋରଣରେ ପୋଲିସ ଏକାଡେମୀ ଓ ପୋଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

ଖାରକିଭରେ ଏହା ପୂର୍ବରୁ ମିଲିଟାରୀ ହସ୍ପିଟାଲରେ ମଧ୍ୟ ବୋମାମାଡ଼ କରାଯାଇଥିଲା  । ପାରାଟ୍ରୁପର୍ସମାନେ ହସ୍ପିଟାଲକୁ ଟାର୍ଗେଟ୍ କରିଥିଲେ । ହସ୍ପିଟାଲ ଉପରେ ଅନ୍ଧାଧୁନ୍ ଗୁଳିମାଡ଼ କରିଥିଲେ । ଏବେ ବି ଖାରକିଭରେ ଜୋରଦାର ଆକ୍ରମଣ ଜାରି ରହିଛି । ଖାରକିଭରେ ରୁଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।

ସେପଟେ ରାଜଧାନୀ କିବରେ ଘନ ଘନ ବୋମାମାଡ଼ ହେଉଛି । ଅନେକ ଅଂଚଳ ଛାରଖାର ହୋଇଯାଇଛି । ଆଜି ସକାଳୁ ସକାଳୁ ଅନେକ ସ୍ଥାନରେ ବଡ଼ ଧରଣର ବୋମାମାଡ଼ ହୋଇଛି । ବିସ୍ଫୋରଣ ଦେଖି ଅନେକ ଲୋକ ପ୍ରାଣ ଭୟରେ ବଙ୍କର ଭିତରକୁ ପଳାଇଯାଉଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀ କିଭକୁ ଦଖଲ କରିବାକୁ ଋଷ ଉଦ୍ୟମ କରୁଛି । କିଭ୍ ସହରଠାରୁ ପ୍ରାୟ ୧୯ ମାଇଲ୍ ଦୂରରେ ରହିଛି ରୁଷର ବିଶାଳ ସେନାବାହିନୀ । ପୂର୍ଣ୍ଣ ଶକ୍ତି ଲଗାଇ ୟୁକ୍ରେନକୁ ନିଶ୍ଚିହ୍ନ କରିଦେବାକୁ ବସିଛି ରୁଷିଆ ।

ଅନ୍ୟପଟେ ଋଷକୁ କଡ଼ା ଜବାବ ଦେଉଛି ୟୁକ୍ରେନ୍ । ଋଷ ଏକାଧିକ ଯୁଦ୍ଧାସ୍ତ୍ର ନଷ୍ଟ କରି ଦେଇଛି ୟୁକ୍ରେନ୍ । ପାହାଡ ପରି ଗଦା ହୋଇଛି ଋଷର ଖଣ୍ଡବିଖଣ୍ଡିତ ଯୁଦ୍ଧାସ୍ତ୍ର । ଏହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ୟୁକ୍ରେନର ସରକାରୀ ସୂତ୍ରରୁ ଏହି ଫଟୋ ଜାରି ହୋଇଛି । ବୈଦେଶିକ ମନ୍ତ୍ରାଳୟ ଟ୍ୱିଟ୍ କରି ଏହି ଫଟୋ ଜାରି କରିବା ସହ କିପରି ୠଷ ସେନାର ବଡ଼ ଧରଣର କ୍ଷତି କରାଯାଇଛି, ସେନେଇ ଦାବି କରାଯାଇଛି । କିବର ପାଖାପାଖି ୩୦ କିଲୋମିଟର ଦୂର ବୁଚ୍ ସହରରୁ ଏହି ଦୃଶ୍ୟ ଆସିଛି । ସେପଟେ ୬ ଦିନରେ ୬ ହଜାର ରୁଷୀୟ ନିହତ ହୋଇଥିବା ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ।